
ଭୁବନେଶ୍ୱର, ଆସନ୍ତାକାଲି (ମଙ୍ଗଳବାର)ଠାରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ୧୭ ବର୍ଷରୁ କମ୍ ମହିଳା ଫୁଟବଲ୍ ବିଶ୍ୱକପ୍ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ କଳିଙ୍ଗ ଷ୍ଟାଡିୟମ୍ ରେ ବିଶ୍ୱକପ୍ ଉଦଘାଟନ ହେବ । ଏଥିପାଇଁ ପ୍ରସ୍ତୁତ ହୋଇ ରହିଛି ଷ୍ଟାଡିୟମ୍ । ଅନ୍ୟ ପକ୍ଷରେ ବିଭିନ୍ନ ଦେଶର ଖେଳାଳି ଭୁବନେଶ୍ୱରରେ ପହଂଚି ସାରିଛନ୍ତି ।
ଫୁଟବଲ୍ ବିଶ୍ୱକପ୍ ପାଇଁ ସୁରକ୍ଷା ବଳୟରେ ରହିବ କଳିଙ୍ଗ ଷ୍ଟାଡ଼ିୟମ । ଏନେଇ ଆଜି କଳିଙ୍ଗ ଷ୍ଟାଡ଼ିୟମ୍ ପହଂଚି ସୁରକ୍ଷା ସମୀକ୍ଷା କରିଛନ୍ତି ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ସେ କହିଛନ୍ତି ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ୬ ଅତିରିକ୍ତ ଡିସିପି, ୧୪ ଏସିପି, ୩୦ ଇନସ୍ପେକ୍ଟର, ୧୦୦ ଅଧିକାରୀଙ୍କ ସହ ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ । ଷ୍ଟାଡିୟମ୍ ଭିତରେ ସାଧା ପୋଷାକରେ ପୋଲିସ୍ ମୁତୟନ ରହିବେ । ପାର୍କିଂ ଆଉ ଟ୍ରାଫିକକୁ ପରିଚାଳନା କରିବା ସହ ଖେଳାଳିଙ୍କ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି ।
ଆୟୋଜକ ଭାରତ ସମେତ ବ୍ରାଜିଲ, ମରୋକୋ ଏବଂ ଆମେରିକା ଟିମ୍ କଳିଙ୍ଗ ଷ୍ଟାଡିୟମରେ ଖେଳିବେ । ଆସନ୍ତାକାଲି ଉଦଘାଟନୀ ମ୍ୟାଚରେ ମରୋକୋ-ବ୍ରାଜିଲ୍, ସଂଧ୍ୟାରେ ଭାରତ ଓ ଆମେରିକା ମଧ୍ୟରେ ହେବ ହାଇଭୋଲଟେଜ୍ ଫାଇଟ୍ । ଚଳିତ ମାସ ୧୧, ୧୪ ଏବଂ ୧୭ ତାରିଖ ମୋଟ୍ ୬ଟି ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଗୋଆ ଓ ମହାରାଷ୍ଟ୍ରରେ ବି ବିଶ୍ୱକପ୍ ର କିଛି ମ୍ୟାଚ୍ ଖେଳାଯିବ ।