ପୁରୀ, ପୁରୀ ଜିଲ୍ଲା ସ୍ତରୀୟ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୫ ତମ ଜୟନ୍ତୀ ରବିବାର ପାଳିତ ହୋଇଯାଇଛି । ପୂର୍ବାହ୍ନରେ ସିଂହଦ୍ଵାର ଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ନେହେରୁ ଯୁବ କେନ୍ଦ୍ରର ସଂଯୋଜକ ଜୟଶଙ୍କର ଜୋଶୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ବରିଷ୍ଠ ନାଗରିକ ବୃନ୍ଦ, ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନର କର୍ମକର୍ତା ପ୍ରମୁଖ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟ ପଂଚସଖାଙ୍କ ପ୍ରତିମୂର୍ତି, ବକୁଳବନରେ ଥିବା ପ୍ରତିମୂର୍ତି, ସ୍ମୃତି ସ୍ତମ୍ଭ, ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ଥିବା ପ୍ରତିମୂର୍ତି ଓ କାଦୁଆ ଆଶ୍ରମ ଠାରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ପରେ ସୁଆଣ୍ଡୋ ସ୍ଥିତ ଗୋପବନ୍ଧୁଙ୍କ ଜନ୍ମ ପୀଠ ଷଠିଘର ଓ ମନ୍ଦିର ନିକଟ ପ୍ରତିମୂର୍ତିରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ । ଏହି ଉପଲକ୍ଷେ ସୁଆଣ୍ଡୋ ଠାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ଗୋପବନ୍ଧୁ ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଦିଲ୍ଲୀପ କୁମାର ମହାପାତ୍ର ଗୋପବନ୍ଧୁ ଆମ ଜାତି, ଭାଷା ଓ ସ୍ଵାଭିମାନର ପ୍ରତୀକ ବୋଲି କହିବା ସହ ତାଙ୍କ ପରୋପକାର ଓ ସେବା ସବୁଦିନ ପାଇଁ ଆମକୁ ପ୍ରେରଣା ଦେଉଥିବ ବୋଲି କହିଥିଲେ ।
ଗୋପବନ୍ଧୁ ସ୍ମୃତି ପରିଷଦର ସଭାପତି ଧୀରେନ୍ଦ୍ର ନାଥ ଦାସଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସତ୍ୟବାଦୀ ତହସିଲଦାର ଜୟନ୍ତ ଜୟସିଂହ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଗୋପବନ୍ଧୁ ସ୍ମୃତି ପରିଷଦର ସଦସ୍ୟ ଦେବେନ୍ଦ୍ର ନାଥ ଦାସ, ଅନ୍ୟାନ୍ୟ ସଦସ୍ୟ, ଶିକ୍ଷାବିତ, ବୁଦ୍ଧିଜୀବୀ, ଲୋକ ପ୍ରତିନିଧି, ଛାତ୍ର ଛାତ୍ରୀ ଓ ଜନସାଧାରଣ ଯୋଗ ଦେଇଥିଲେ । ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଏହି ଅବସରରେ ଅତିଥି ମାନେ ପୁରସ୍କୃତ କରିଥିଲେ।