
କନ୍ଧମାଳ, କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଭୁସ୍ଖଳନ ଯୋଗୁଁ ପ୍ରଶାସନ ଦ୍ଵାରା ସ୍ଥାନାନ୍ତର ହୋଇଥିବା ପରିବାରଙ୍କୁ ଶନିବାର ଭେଟି ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ। ଲଗାଣ ବର୍ଷାରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ କୁମ୍ଭାରୀପଦର ଗ୍ରାମରେ ଲଗାତାର ଭୁସ୍ଫଳନ ଯୋଗୁଁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଥିଲେ। ଭୁସ୍ଖଳନ ଯୋଗୁଁ ଧନ ଜୀବନ ନଷ୍ଟ ହେବା ଆଶଙ୍କାରେ ପ୍ରଶାସନ ପକ୍ଷରୁ ସମସ୍ତ ଗ୍ରାମବାସିଙ୍କୁ ତାମାଙ୍ଗିର ଏକ ସ୍କୁଲ ଘରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେମାନେ ଗତ ଚାରି ଦିନ ହେଲା ଅଛନ୍ତି। ତେବେ ବର୍ତମାନ କୁମ୍ଭାରୀପଦର ଗ୍ରାମର ସ୍ଥିତି କଣ ରହିଛି, ସେଠାକୁ ପୁନର୍ବାର ସେମାନଙ୍କୁ ଫେରାଇ ଆଣି ହେବକି ନାହିଁ ନା ଅନ୍ୟତ୍ର ଥଇଥାନ କରାଯିବ ସେ ନେଇ ଅତିରିକ୍ତ ଜିଲ୍ଲାପାଳ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିଥିଲେ। ବିଡ଼ିଓ ଗଦାଧର ପାତ୍ର ଓ ତହସିଲଦାର ଓ ଲୋକ ପ୍ରତିନଧି ମଧ୍ୟ ସମ୍ପୃକ୍ତ ଅଂଚଳ ଗସ୍ତ କରିଥିଲେ।
ଅତିରିକ୍ତ ଜିଲାପାଳ ସାହୁ ଏ ସମ୍ପର୍କରେ ବରିଷ୍ଠ ଅଧିକାରୀ, ଲୋକ ପ୍ରତିନିଧି ଓ ଗ୍ରାମବାସିଙ୍କ ସହ ସେମାନଙ୍କ ସମସ୍ୟା ଓ ସ୍ଥାୟୀ ପ୍ରତିକାର ସମ୍ପର୍କରେ ଆଲୋଚନା କରିଥିଲେ।