ଭୁବନେଶ୍ୱର – କମ୍ପାନୀ ଓ ଶିଳ୍ପପତିମାନଙ୍କ ସ୍ୱାର୍ଥରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜଙ୍ଗଲ ଅଧିକାର ଆଇନ୍କୁ ଅକାମୀ କରିବା ପାଇଁ ସମସ୍ତ ଷଡ଼ଯନ୍ତ୍ର କରି ଚାଲିଛନ୍ତି ବୋଲି ମର୍ଯ୍ୟାଦାର ସହ ବଂଚିବାର ଅଭିଯାନ(ସିଏସ୍ଡ଼ି) ଓଡ଼ିଶା ପକ୍ଷରୁ ଆୟୋଜିତ ପ୍ରତିବାଦ ବିକ୍ଷୋଭ ଓ ଧାରଣାର ଶେଷ ଦିନରେ ଅଭିଯୋଗ କରାଯାଇଛି । ଗ୍ରାମସଭା ସମୂହ ଓ ଭୂମି ଅଧିକାର ଆନ୍ଦୋଳନ ସହ ଗତ ୧୮ ନଭେମ୍ବରରୁ ଆରମ୍ଭ ହୋଇଥିବା ଗଣପ୍ରତିବାଦ ଓ ଧାରଣାରେ ପ୍ରଥମ ଦିନରେ ଅବିଭକ୍ତ ଗଞ୍ଜାମ ଓ କୋରାପୁଟ ଜିଲ୍ଲା, ଦ୍ୱିତୀୟ ଦିନରେ ବଲାଙ୍ଗୀର, ସୋନପୁର ଏବଂ ତୃତୀୟ ଦିନରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ଢେଙ୍କାନାଳ, ସମ୍ବଲପୁର, ଯାଜପୁର ଓ କେନ୍ଦୁଝର ଇତ୍ୟାଦି ଜିଲ୍ଲାର ଆଦିବାସୀ ଓ ପାରମ୍ପରିକ ବନବାସୀମାନେ ଏହି ବିକ୍ଷୋଭ ଓ ପ୍ରତିବାଦରେ ସାମିଲ ହୋଇଥିଲେ । ସିଏସଡି ରାଜ୍ୟ ଆବାହକ ଗୋପୀନାଥ ମାଝୀ, ରାଜ୍ୟ ଆବାହକ ମଣ୍ଡଳୀର ବରିଷ୍ଠ ସଦସ୍ୟ ପ୍ରଦୀପ ସାହୁ, ବିଜୟ ସ୍ୱାଇଁ, ନରେନ୍ଦ୍ର ମହାନ୍ତି, ଡ. ଶ୍ରୀଚରଣ ବେହେରା, ଆନ୍ନା କୁଜୁର, ଅରୁଣ ଦେହୁଡ଼ି, ଗଦାଧର ପ୍ରଧାନ, ଅମୂଲ୍ୟ ନାୟକ ଓ ବିଭିନ୍ନ ସଂଗଠକ ଯଥା ରୂପଧର ବିଷୋୟୀ, ବଳଭଦ୍ର ମଲ୍ଲିକ, କସ୍ତୁରୀ ମାଝୀ, ନମିତା ପ୍ରଧାନ, ଜୟପାଲ ସିଙ୍କୋ ପ୍ରମୁଖଙ୍କ ନେତୃତ୍ୱରେ ଏହି ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ପ୍ରତିବାଦ, ଆନ୍ଦୋଳନ ତଥା ସଭାରେ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା, ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସୁରେଶ ପାଣିଗ୍ରାହୀ, ରାଧାକାନ୍ତ ସେଠି, ଶଙ୍କର ସାହୁ, ମହେନ୍ଦ୍ର ପରିଡ଼ା, ଶ୍ରୀକାନ୍ତ ମହାନ୍ତି, ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନ୍ଗୋ, ମାନବିକ ଅଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍ଗୋ, ଭିଟାମାଟି ସୁରକ୍ଷା ଆନ୍ଦୋଳନର ଅରୁଣ ଜେନା, ଆଇନ୍ଜୀବୀ ପ୍ରତିମା ଦାସ, ଗବେଷକ ସନ୍ଦୀପ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସେମାନଙ୍କ ନୈତିକ ସମର୍ଥନ ଜ୍ଞାପନ କରିଥିଲେ ।
ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତା ଆରମ୍ଭ ହେବା ସଙ୍ଗେ ସଙ୍ଗେ ରାଷ୍ଟ୍ରର ନବ୍ୟ ଉଦାରବାଦୀ ଓ ପ୍ରାକୃତିକ ସମ୍ବଳ ଲୁଣ୍ଠନରେ ଆଧାରିତ ପୁଞ୍ଜିବାଦୀ ଅର୍ଥନୀତିକୁ ନିୟନ୍ତ୍ରଣ କରୁଥିବା ଶିଳ୍ପପତି, ପୁଞ୍ଜିପତି ଓ ଖଣି କମ୍ପାନୀମାନଙ୍କ ମଧ୍ୟରେ ଭାଳେଣି ବଢ଼ିଗଲା । ଆଦିବାସୀ ଓ ପାରମ୍ପରିକ ବନବାସୀମାନଙ୍କୁ ଜଙ୍ଗଲ ଓ ଜମି ଉପରେ ଅଧିକାର ନମିଳୁ ଯାହାଦ୍ୱାରା ସେମାନଙ୍କ ପାଇଁ ରାସ୍ତା ସହଜ ହେବବୋଲି ସେମାନଙ୍କ ପାଇଁ ଓକିଲାତି କରୁଥିବା ସରକାର ଗତ ୭ ବର୍ଷ ମଧ୍ୟରେ ଜଙ୍ଗଲ ଅଧିକାର ଆଇନକୁ ଦମନ କରିବା ଓ ଏହାକୁ ପଙ୍ଗୁ କରିଦେବା ପାଇଁ ବିପରୀତ ଧର୍ମୀ ଆଇନ ପ୍ରଣୟନର ଉଦ୍ୟମ କରି ଚାଲିଛନ୍ତିବୋଲି ସଂଗଠନର ନେତୃବୃନ୍ଦ ଅଭିଯୋଗ କରିଛନ୍ତି । ସେଥିପାଇଁ ଭୂମି ଅଧିଗ୍ରହଣ ଅଧ୍ୟାଦେଶ, ଜାତୀୟ ଜଙ୍ଗଲନୀତି ଚିଠା-୨୦୧୮ ଆଗତ ଓ ଭାରତୀୟ ଜଙ୍ଗଲ ଆଇନ୍ ୧୯୨୭ର ସଂଶୋଧନ ଉଦ୍ୟମ ଇତ୍ୟାଦି ଜରିଆରେ ଜଙ୍ଗଲ ଅଧିକାର ଆଇନକୁ ପ୍ରତିରୋଧ କରିବା ପାଇଁ ସରକାର ସମସ୍ତ ଚେଷ୍ଟା କରି ଚାଲିଛନ୍ତି ।
ଜିଲ୍ଲାସ୍ତରୀୟ ଏବଂ ଉପଖଣ୍ଡସ୍ତରୀୟ ଜଙ୍ଗଲ ଅଧିକାର କମିଟିଙ୍କ ଅନିଛା ଓ ଖାମଖିଆଲି ମନୋଭାବ ଯୋଗୁ ଜଙ୍ଗଲ ଅଧିବାସୀମାନଙ୍କୁ ସେମାନଙ୍କର ଅଧିକାରକୁ ମାନ୍ୟତା ଦେବାରୁ ବଂଚିତ କରାଯାଉଛି । ଦୀର୍ଘଦିନ ଧରି ଜଙ୍ଗଲ ଅଧିକାର ଦାବିଗୁଡ଼ିକର ସ୍ଥିତି ବିଷୟରେ ଗ୍ରାମସଭା କିମ୍ବା ଦାବିଦାରମାନଙ୍କୁ ଜଣାଯାଉନାହିଁ । ଜଙ୍ଗଲ ଅଧିକାର ଆଇନ୍ର ପ୍ରକ୍ରିୟା ଅନୁସାରେ ଦାଖଲ କରାଯାଇଥିବା ଦାବିଗୁଡ଼ିକୁ ତନଖି କରିବା, ଯାଂଚ କରିବା କିମ୍ବା ଅନୁଧ୍ୟାନ ଓ ପ୍ରକ୍ରିୟାକରଣ ମଧ୍ୟରେ ଯଦିକିଛି ତଥ୍ୟ ଅସମ୍ପୂର୍ଣ୍ଣ କିମ୍ବା ତ୍ରୁଟିପୂର୍ଣ୍ଣ ଥାଏ, ସେହି ଦାବିଗୁଡ଼ିକୁ ଦାବିଦାର, ଗ୍ରାମସଭା କିମ୍ବା ଜଙ୍ଗଲ ଅଧିକାର କମିଟିକୁ ସ୍ପଷ୍ଟଭାବେ ଉଲ୍ଲେଖ କରି ଫେରସ୍ତ କରିବା କଥା ଏବଂ ସେଗୁଡ଼ିକୁ ଉପଯୁକ୍ତ ସଂଶୋଧନ ପରେ ପୁନଃ ପ୍ରେରଣ ପାଇଁ ଉପଦେଶ ଦେବା ବଦଳରେ ଗ୍ରାମସଭାଗୁଡ଼ିକୁ ପ୍ରଶାସନିକ ସ୍ତରରେ ଅନ୍ଧକାରରେ ରଖାଯାଇଛି ବୋଲି ସଂଗଠନ ଅଭିଯୋଗ କରିଛି । ଆଜି ପର୍ଯ୍ୟନ୍ତ ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନମାନଙ୍କରେ ଜଙ୍ଗଲ ଅଧିକାର ଆଇନ୍ ଓ ଅନ୍ୟାନ୍ୟ ଆଇନ୍ଗତ ପ୍ରକ୍ରିୟାକୁ ଅଣଦେଖା କରି ସରକାର କେବଳ ସେମାନଙ୍କୁ ତାଙ୍କ ଭିଟାମାଟିରୁ ଉଚ୍ଛେଦ କରିବା କାର୍ଯ୍ୟରେ ଲାଗି ରହିଛନ୍ତି । ଖଣି ପ୍ରବଣ ଅଂଚଳମାନଙ୍କରେ ତୃଣମୂଳସ୍ତରେ ଅତ୍ୟନ୍ତ ଜଟିଳ ଓ ଅମାନବୀୟ । ଆଇନ୍ର ସମସ୍ତ ପ୍ରକାର ଉଲଂଘନ ସେହି ଅଂଚଳମାନଙ୍କରେ ପ୍ରଶାସନିକ ଅଧିକାରୀମାନଙ୍କ ଦ୍ୱାରା ଚତୁରତାର କରାଯାଉଛି ଓ ଜଙ୍ଗଲ ଅଧିବାସୀମାନଙ୍କୁ ଜଙ୍ଗଲ ଅଧିକାରରୁ ବଂଚିତ କରାଯାଉଛି । କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ, ଯାଜପୁର, ରାୟଗଡ଼ା ଆଦି ଜିଲ୍ଲାର ଖଣି ଅଂଚଳରେ ଦାବି ଦାଖଲ ଓ ସ୍ୱୀକୃତି ପ୍ରକ୍ରିୟାକୁ ଶିଥିଳ କରାଯାଉଛି ଓ ଲୋକମାନଙ୍କ ମଧ୍ୟରେ ସରକାରୀ ଅଧିକାରୀ, ପୋଲିସ୍ ପ୍ରଶାସନ, କମ୍ପାନୀ ଦଲାଲ, ସ୍ଥାନୀୟ ରାଜନେତା ତଥା କଂଟ୍ରାକ୍ଟର ଓ ଠିକାଦାରଙ୍କ ଦ୍ୱାରା ଭୟର ବାତାବରଣ ସୃଷ୍ଟି କରାଯାଉଛି । ଅନ୍ୟ ପକ୍ଷରେ ଜଙ୍ଗଲ ଗ୍ରାମ, ବସତି, ଅଣସର୍ଭେ ଗ୍ରାମଗୁଡ଼ିକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା ପ୍ରକ୍ରିୟାକୁ ଶିଥିଳ କରି ଦିଆଯାଇଛି । ଏହି ପରିସ୍ଥିତିରେ ସରକାରଙ୍କ ବିକାଶ ନାମରେ ଅନେକ ଖଣି, ରାସ୍ତାଘାଟ, କାରଖାନା ଓ ଜଙ୍ଗଲକୁ ବ୍ୟବସାୟୀକରଣ ଉଦ୍ଦେଶ୍ୟରେ ସମର୍ପଣ କରାଯାଉଛି ଓ ଅନେକ ଜନବିରୋଧୀ ପ୍ରକଳ୍ପ ତଥା ଯୋଜନାକୁ ସରକାର ଦ୍ରୁତ ଗତିରେ ଆଗେଇ ନେଉଛନ୍ତି ଯାହା ଜଙ୍ଗଲ ଅଧିକାର ଆଇନର ସମ୍ପୂର୍ଣ୍ଣ ଉଲଂଘନ ଏବଂ ଲକ୍ଷାଧିକ ଲୋକଙ୍କୁ ଜଙ୍ଗଲ ଅଧିକାର ଓ ଜୀବନ ଜୀବିକାରୁ ବଂଚିତ କରିବାର ଘୃଣ୍ୟ ଷଡ଼ଯନ୍ତ୍ର ବୋଲି ସଂଗଠନ ଆରେପ କରିଛି । ତିନିଦିନିଆ ଗଣପ୍ରତିବାଦ ଓ ଧାରଣା କାର୍ଯ୍ୟକ୍ରମ ପରେ ଏକ ୫ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ ଓ ସୁପ୍ରିମକୋର୍ଟଙ୍କ ଉଦ୍ଦେଶ୍ୟରେ ସଂଗଠନର ଉଦ୍ବେଗକୁ ସ୍ମାରକ ପତ୍ର ମାଧ୍ୟମରେ ପ୍ରେରଣ କରାଯାଇଛି ।