ସମ୍ବଲପୁର, ଆଜି ପବିତ୍ର କୁମାର ପୂର୍ଣ୍ଣିମା ତିଥିରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ଵରୀ ଭକ୍ତଙ୍କୁ ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେବେ । ସଂଧ୍ୟାରେ ମା’ଙ୍କ ଆଳତି ସହ ଧ୍ଵଜାରୋହଣ ଅନୁଷ୍ଠିତ ହେବ । ମନ୍ଦିର ଚୂଡ଼ାରେ ଲାଗିଥିବା ପତାକା ବା ଧ୍ଵଜାକୁ ପରିବର୍ତନ କରାଯାଇ ନୂଆ ଧ୍ଵଜା ଲାଗିବ ।
ପରମ୍ପରା ଅନୁଯାୟୀ, କୁମାର ପୂର୍ଣ୍ଣିମା ଦିନ ମା’ ସମଲେଶ୍ଵରୀଙ୍କର ରାଜରାଜେଶ୍ଵରୀ ବେଶ ଅନୁଷ୍ଠିତ ହୋଇଥାଏ । ଆଜି ଅପରାହ୍ନ ୩ଟାରୁ ୪ଟା ୩୦ ପର୍ଯ୍ୟନ୍ତ ଏହି ବେଶ ପାଇଁ ଦର୍ଶନ ବନ୍ଦ ରହିବ । ଅପରାହ୍ନ ୪ଟା ୩୦ରୁ ଭକ୍ତ ମାନେ ମାଙ୍କ ଏହି ଦୁର୍ଲ୍ଲଭ ରାଜରାଜେଶ୍ଵରୀ ବେଶ ଦର୍ଶନ କରିପାରିବେ ।
ସେହିପରି ସଂଧ୍ୟା ୭ଟା ୩୦ ରୁ ରାତି ୯ଟା ୩୦ ଯାଏ ଧ୍ଵଜାରୋହଣ ଲାଗି ସାଧାରଣ ଦର୍ଶନ ବନ୍ଦ ରହିବ । ପରେ ରାତି ୯ଟା ୩୦ରୁ ୧୧ଟା ଯାଏ ରାଜରାଜେଶ୍ଵରୀ ବେଶ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ ବୋଲି ମନ୍ଦିର ପରିଚାଳନା କମିଟି ସୂତ୍ରରୁ ପ୍ରକାଶ।