ଗଞ୍ଜାମ, ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ସହ ବିଭିନ୍ନ ଅଂଚଳରେ ଝାଡ଼ାବାନ୍ତି ବ୍ୟାପୀଥିବା ଜଣାପଡିଛି । ଗତ ସପ୍ତାହକ ମଧ୍ୟରେ ବ୍ରହ୍ମପୁର ଉପକଣ୍ଠସ୍ଥ ଲାଠି ଗ୍ରାମରେ ଝାଡ଼ାବାନ୍ତିରେ ପ୍ରାୟ ୪୦ ରୁ ଉର୍ଦ୍ଧ୍ଵ ଲୋକ ଆକ୍ରାନ୍ତ ହୋଇଛନ୍ତି । ଏମାନେ ବ୍ରହ୍ମପୁର ବଡ ଡାକ୍ତରଖାନା ଏବଂ କୁକୁଡ଼ାଖଣ୍ଡି ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ କେତେକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ କେତେକ ଚିକିତ୍ସାଧିନ ଅଛନ୍ତି । ବ୍ରହ୍ମପୁର ସ୍ଵାସ୍ଥ୍ୟ ବିଭାଗର ଟିମ୍ ଏବଂ କୁକୁଡ଼ାଖଣ୍ଡି ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରର କର୍ମଚାରୀ ମାନେ ଏହି ଗ୍ରାମରେ ପହଂଚି ପରିସ୍ଥିତି ନିରୀକ୍ଷଣ କରିବା ସହ ଜଳନମୂନା ସଂଗ୍ରହ କରିଛନ୍ତି । ଏବଂ ସାଧାରଣରେ ଏନେଇ ସଚେତନତା ସୃଷ୍ଟି କରିଥିବା ଜଣାପଡିଛି ।
ସେହିପରି ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମରେ ଝାଡ଼ାବାନ୍ତି ରୋଗରେ ପ୍ରାୟ ୧୨ ଜଣ ଆକ୍ରାନ୍ତ ହୋଇ ଦିଗପହଣ୍ଡି ଡାକ୍ତରଖାନା ଓ ଭୀଷ୍ମଗିରି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଦୂଷିତ ଜଳ ବ୍ୟବହାର କରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଂଚଳରେ ଝାଡ଼ାବାନ୍ତି ରୋଗରେ ଲୋକେ ଆକ୍ରାନ୍ତ ହେଉଥିବା ଜଣାପଡିଛି ।