
ମାଲକାନଗିରି, ରକ୍ତ ଦେଇ ଜଣେ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି ସମାଜସେବୀକା । ମାଥିଲି ବ୍ଲକ ଅନ୍ତର୍ଗତ ପିତାତଙ୍ଗ ଗ୍ରାମର କୃଷ୍ଣ କାଣ୍ଡକିଙ୍କ ପତ୍ନୀ ରମା କାଣ୍ଡକି ଗତ ୩ ଦିନ ଧରି ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସମ୍ପୃକ୍ତ ମହିଳା ଜଣକ ରକ୍ତ ଅଭାବ ଯୋଗୁ ଜୀବନମରଣ ସହ ସଂଗ୍ରାମ କରୁଥିଲେ । ଆଜି ସକାଳୁ ଏହି ଅଞ୍ଚଳରୁ ୨ ଜଣ ବ୍ୟକ୍ତି ଆସି ମାଲକାନଗିରି ରକ୍ତଭଣ୍ଡାରରେ ଏ – ପଜିଟିଭ୍ ରକ୍ତ ନିମନ୍ତେ ନିବେଦନ କରିଥିଲେ । ରକ୍ତଭଣ୍ଡାରରେ ରକ୍ତ ନ ଥିବାରୁ ନିଜ ସମ୍ପର୍କୀୟ ବନ୍ଧୁବର୍ଗ ତଥା ସାଙ୍ଗସାଥିଙ୍କୁ ଗୁହାରି କରିଥିଲେ । କିନ୍ତୁ ନିରାଶ ହୋଇ ସମାଜସେବୀ ରାମକୃଷ୍ଣ ଚୌଧୁରୀଙ୍କ ନିକଟକୁ ଯାଇଥିଲେ । ସେଠାରେ ରାମଭାଇ ନଥିବାରୁ ତାଙ୍କ ଧର୍ମପତ୍ନୀ ଭାରତୀ ରକ୍ତଦାନ କରିବା ନିମନ୍ତେ ସହମତି ପ୍ରକାଶ କରିଥିଲେ । ସେ ରକ୍ତଭଣ୍ଡାରକୁ ଯାଇ ନମୂନା ପରୀକ୍ଷା ପରେ ରକ୍ତଦାନ କରିଥିଲେ । ତାଙ୍କର ଏହି ମହାନତା ପାଇଁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।