
ଭୁବନେଶ୍ୱର, ଧାମନଗର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିସହ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ନଭେମ୍ବର ୩ ତାରିଖରେ ଏହି ଆସନ ପାଇଁ ଭୋଟ୍ ଗ୍ରହଣ ହେବ ।
ଏହି ବିଜ୍ଞପ୍ତି ଅନୁସାରେ ଆଜି ଠାରୁ ନାମାଙ୍କନ ପତ୍ର ଦାଖଲ କରା ଯାଇ ପାରିବ । ଅକ୍ଟୋବର ୧୪ରେ ନାମାଙ୍କନ ପତ୍ର ଦାଖଲ ଶେଷ ତାରିଖ ରହିଛି । ସେହିପରି ଅକ୍ଟୋବର ୧୫ ତାରିଖ (ଶନିବାର) ନାମାଙ୍କନ ପତ୍ର ଯାଂଚ ହେବ ।
ଅକ୍ଚୋବର ୧୭ ତାରିଖ (ସୋମବାର) ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ ରହିଛି । ନଭେମ୍ବର ୩ ତାରିଖ (ଗୁରୁବାର) ଭୋଟ ଗ୍ରହଣ କରାଯିବ । ସେହିପରି ନଭେମ୍ବର ୬ ତାରିଖରେ ଭୋଟଗଣତି ଓ ୨୦୨୨ ନଭେମ୍ବର ୮ ତାରିଖ (ମଙ୍ଗଳବାର) ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ଜଣା ପଡିଛି ।
ସୂଚନା ଅନୁଯାୟୀ ସ୍ୱର୍ଗତ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଅକାଳ ବିୟୋଗ ପରେ ୪୬-ଧାମନଗର ବିଧାନସଭା ଆସନ ଖାଲି ପଡିଛି । ଏହି ଆସନରେ ଉପନିର୍ବାଚନ ପାଇଁ ଗତ ୩ ତାରିଖରେ ଭାରତ ନିର୍ବାଚନ ଆୟୋଗ ଘୋଷଣା କରିଥିଲେ । ନିର୍ବାଚନ ତାରିଖ ଘୋଷଣା ଦିନଠାରୁ ସମଗ୍ର ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି । ଆଦର୍ଶ ଆଚରଣ ବିଧି ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଥିବା ସମସ୍ତ ପ୍ରାର୍ଥୀ, ସମସ୍ତ ରାଜନୈତିକ ଦଳମାନଙ୍କ କ୍ଷେତ୍ରରେ ଓ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସଂପୂର୍ଣ୍ଣ ଭାବେ ଲାଗୁ କରାଯାଇଛି ।