ଭୁବନେଶ୍ୱର – ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ । ସେମାନଙ୍କୁ ଉପଯୁକ୍ତ ସୁରକ୍ଷା ଓ ଯତ୍ନ ଯୋଗାଇଦେବା ଉଚିତ । ତା ହେଲେ ଯାଇ ଏକ ସମୃଦ୍ଧ ସମାଜ, ଶୃଙ୍ଖଳିତ ସାମାଜିକ ବ୍ୟବସ୍ଥା ସମ୍ଭବ ହୋଇପାରିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ପ୍ରକାଶ କରିଛନ୍ତି ।
ମିଳିତ ଜାତିସଂଘର ଶିଶୁ ଅଧିକାରୀ ସମ୍ମିଳନୀର ୩୦ ବର୍ଷ ପୂର୍ତି ଅବସରରେ ଓଡ଼ିଶା ଆଲାୟାନ୍ସ ଫର ଚାଇଲଡ଼ ରାଇଟ୍ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ, ଆମେ ସବୁ କ୍ଷେତ୍ରରେ ପିଲାମାନଙଙ୍କ ଭାଗୀଦାରିତାକୁ ପ୍ରୋତ୍ସାହନ ଦେବା ସହ ସେମାନଙ୍କୁ ସମସ୍ତ ପ୍ରକାର ନିର୍ଯ୍ୟାତନା ଓ ଶୋଷଣରୁ ମୁକ୍ତ କରିବା ପାଇଁ ଆମେ ସମସ୍ତେ ଚେଷ୍ଟା କରିବା ଉଚିତ । ସମସ୍ତ ନାଗରିକ ସଂଗଠନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ସରକାର ଏଥିପାଇଁ ସମସ୍ତ ଉଦ୍ୟମ କରୁଛନ୍ତି । ସରକାର ମଧ୍ୟ ଶିଶୁ ମାନଙ୍କର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବହୁ ଯୋଜନା ହାତକୁ ନେଇଛନ୍ତି । ଛୋଟ ପିଲାଙ୍କ ପାଇଁ ଟୀକାକରଣ ବ୍ୟବସ୍ଥାଠାରୁ ଆରମ୍ଭ କରି କିଶୋରୀ ଓ ବାଳିକା ମାନଙ୍କ ପାଇଁ ଅଇରନ୍ ଫୋଲିକ୍ ଟାବଲେଟ୍ ଯୋଗାଇ ଦେଉଛନ୍ତି । ଆସନ୍ତୁ ଆଜିର ଦିନରେ ଆମେ ସମସ୍ତେ ମିଳିମିଶି ଶିଶୁମାନଙ୍କର ଅଧିକାର ଅକ୍ଷୁର୍ଣ୍ଣ ରଖିବାକୁ ସଂକଳ୍ପବଦ୍ଧ ହେବା ।
ରାଜ୍ୟ ଓଡ଼ିଶା ଆଲାୟାନ୍ସ ଫର ଚାଇଲଡ଼ ରାଇଟର ଅଧ୍ୟକ୍ଷ ରଂଜନ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ ଶିଶୁମାନଙ୍କର ଅଧିକାର ସମ୍ପର୍କରେ ମତଦେଇ କହିଲେ ଯେ ଶିଶୁମାନଙ୍କର ବଂଚିବାର ଅଧିକାର, ବିକାଶ ବା ବଢ଼ିବାର ଅଧିକାର, ସୁରକ୍ଷା ଅଧିକାର ଓ ଭାଗୀଦାରିତା ଅଧିକାର ନିହାତି ଗୁରୁତ୍ୱପୂର୍ଣ୍ଣ । ଜନ୍ମଗ୍ରହଣ କରିବା ଓ ଶିଶୁର ବଂଚିବାର ନ୍ୟୁନତମ ଆବଶ୍ୟକତାକୁ ପୂରଣ କରିବା, ସେମାନେ ପୂର୍ଣ୍ଣ ରୂପେ ବିକଶିତ ହେବା ପାଇଁ ଯାହା ଆବଶ୍ୟକ ଯେଗାଇବା, ସେମାନଙ୍କୁ ସମସ୍ତ ପ୍ରକାର ନିର୍ଯ୍ୟାତନା ଓ ଶୋଷଣକୁ ସୁରକ୍ଷା ଦେବା, ଶିଶୁମାନଙ୍କ ସହିତ ଜଡ଼ିତ ଥିବା ବିଷୟରେ ସେମାନଙ୍କ ଭାଗୀଦାରିତାକୁ ପ୍ରୋତ୍ସାହିତ କରିବା ଦିଗରେ ଆମେ ସମସ୍ତେ ଯତ୍ନବାନ ହେବା ଉଚିତ ।
କାର୍ଯ୍ୟକ୍ରମରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଲେ ଯେ, ଶିଶୁ ସୁରକ୍ଷା ଆମର ଦାୟିତ୍ୱ । ଏ ଦିଗରେ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି । ଶିଶୁମାନଙ୍କ ଶିକ୍ଷାର ବିକାଶ ସହ ପୁଷ୍ଟିକର ଆହାର ଯୋଗାଇଦେବା ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଶିଶୁ ହସିଲେ ଦୁନିଆ ହସିବ । ଶିଶୁମାନଙ୍କୁ ଉପଯୁକ୍ତ ଲାଳନ ପାଳନ ସହ ମୌଳିକ ଶିକ୍ଷା ପ୍ରଦାନ ଦିଗରେ ଅଭିଭାବକମାନେ ଦୃଷ୍ଟିଦେବା ଉଚିତ ।
ଏହି ଅବସରରେ ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ସୁବାଶ ସିଂ ଯୋଗଦେଇ ଶିଶୁମାନଙକ ଅଧିକାର ସମ୍ପର୍କରେ ଆଲୋକପାତ କରିଥିବା ବେଳେ ୟୁନିସେଫର ରାଜ୍ୟ ମୁଖ୍ୟ ମୋନିକା ନେଲସନ୍ ଶିଶୁ ସୁରକ୍ଷା କ୍ଷେତ୍ରରେ ୟୁନିସେଫର ଭୂିକା ଉପରେ ମତଦେଇ କହିଲେ ଯେ, ମିଳିତ ଜାତିସଂଘର ଶିଶୁ ଅଧିକାର ସମ୍ମିଳନୀର ୩୦ ବର୍ଷ ପୂର୍ତି ଅବସରରେ ଏହି ବର୍ଷ ସମଗ୍ର ବିଶ୍ୱ ସିଆରସି ୩୦ ବର୍ଷ ପାଳନ କରୁଛି । ମିଳିତ ଜାତିସଂଘ ଦ୍ୱାରା ଘୋଷିତ ଶିଶୁ ଅଧିକାର ଘୋଷଣା ନାମା ହେଉଛି ବିଶ୍ୱର ସବୁଠାରୁ ଆଦୃତ ମାନବ ଅଧିକାରର ଏକ ଚୁକ୍ତିପତ୍ର ।
ସିଆରସି ହେଉଛି ଏକ ଚୁକ୍ତି ଯାହା ୧୮ ବର୍ଷ ତଳେ ଥିବା ସମସ୍ତ ପିଲାମାନଙ୍କୁ ସାମାଜିକ, ରାଜନୈତିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ଅଧିକାର ସହିତ ସୁରକ୍ଷା ଦିଗରେ ଯତ୍ନବାନ ହେବା ସହିତ ଏହି ସମ୍ମିଳନୀର ମାଧ୍ୟମରେ ଶିଶୁ ଅଧିକାର ସାବ୍ୟସ୍ତ ପାଇଁ ପ୍ରଚାର ଓ ପ୍ରସାର କରିବା । ଶିଶୁମାନଙ୍କ ଆଇନଗତ ଅଧିକାରକୁ ମାନ୍ରତା ଦେବା । ଶିଶୁମାନେ ଯେ କେବଳ ଯତ୍ନ ଓ ସୁରକ୍ଷାର ହକ୍ଦାର ଏହା ସହ ଶିଶୁମାନଙ୍କର ସମସ୍ତ ଅବଶ୍ୟକକତା ପୂରଣ କରିବା ମଧ୍ୟ ଆମର ଦାୟିତ୍ୱ । ଏ ଦିଗରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଭାଗରୁ ଛାତ୍ରଛାତ୍ରୀ ଯୋଗଦେଇଥିଲା । ୨୧୭ ଜଣ ପିଲାଙ୍କୁ ନେଇ ୩୦ଟି ଜିଲ୍ଲାର ଛାତ୍ରଛାତ୍ରୀମାନେ ଶିଶୁ ଅଧିକାର ସମ୍ପର୍କରେ କରିଥିବା ସର୍ଭେ ରିପୋର୍ଟ ଉପସ୍ଥାପନ କରିଥିଲେ ।