ଭୁବନେଶ୍ଵର, ସକ୍ରିୟ ମୌସୁମୀ ତଥା ଲଘୁଚାପ ପ୍ରଭାବରେ ଗତ ୨୪ ଘଂଟା ମଧ୍ୟରେ ବିସ୍ତୃତି ବର୍ଷା ସହ ୨ ସ୍ଥାନରେ ଅତି ପ୍ରବଳ ଏବଂ ୩୪ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୪.୯ ମି.ମି. ବର୍ଷା ରେକର୍ଡ ହୋଇଛି, ଯାହା ସ୍ଵାଭାବିକ ବର୍ଷା ୫.୮ ତୁଳନାରେ ୩୨୯ ପ୍ରତିଶତ ଅଧିକ ରହିଛି ।
ଭଦ୍ରକ ଜିଲ୍ଲାର ତିହିଡ଼ିରେ ସର୍ବାଧିକ ୧୩୩.୦ ମି.ମି. ବର୍ଷା ରେକର୍ଡ଼ କରାଯାଇଛି । ସେହିପରି ଗଜପତି ଜିଲ୍ଲାର ଗୋଷାଣି ୧୨୯.୦ ମି.ମି., ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ୧୧୩.୪ ମି.ମି., ଭଦ୍ରକ ଜିଲ୍ଲାର ଭଦ୍ରକରେ ୧୦୯.୦ ମି.ମି., ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ୧୦୫.୦, ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ୧୦୨.୮, ଗଞ୍ଜାମ ଜିଲ୍ଲାର ଗୋପାଳପୁର ୯୮.୯, ଗଞ୍ଜାମ ଜିଲ୍ଲାର ଛତ୍ରପୁର ୯୮.୦, ବାଲେଶ୍ଵର ଜିଲ୍ଲାର ରେମୁଣାରେ ୯୫.୦, ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିରେ ୯୫.୦ ମି.ମି. ବର୍ଷା ରେକର୍ଡ଼ କରାଯାଇଛି ।
ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ଜଗତସିଂହପୁରରେ ୩୩.୫ ଡ଼ିଗ୍ରୀ ସେଲସିୟସ୍ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ବୌଦ୍ଧରେ ୧୮.୦ ଡ଼ିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।