ପୁରୀ, ଶ୍ରୀକ୍ଷେତ୍ରରେ ଶାରଦୀୟ ପୂଜାର ମାହୋଲ । ଅନେକ ସାହିରେ ବିରାଟକାୟ ଦୁର୍ଗା ମେଢ ସ୍ଥାପନ ହୋଇ ପୂଜିତ ହେଉଛନ୍ତି । ଆଜି ଦଶହରାରେ ମାଙ୍କୁ ଦର୍ଶନ କରିବା ପାଇଁ ସହରବାସୀ, ତୀର୍ଥଯାତ୍ରୀ, ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ହରଚଣ୍ଡୀ ସାହିର ବାରବାଟୀ ଠାକୁରାଣୀ, ମହତେଶ୍ଵରୀ, ବନଦୁର୍ଗା, ମହାସୁଆରସାହି ଠାକୁରାଣୀ, ଗେଲବାଇ, ତ୍ରିପୁରା ସୁନ୍ଦରୀ, ମା ହରଚଣ୍ଡୀ, ଚକ୍ରକୋଟ, ଖଜୁରୀ ଗୋସାଣୀ, ମାଟିମଣ୍ଡପ ସାହିର ଭୋଗଯାଗା ଶୂନ୍ୟ ଗୋସାଣୀ, ଦୋଳମଣ୍ଡପ ସାହିର ଜହ୍ନିଖାଇ, କରତିସାହି ଠାକୁରାଣୀ, ବାସେଳୀ ସାହିର ବନଦୁର୍ଗା ଓ ପଣାପ୍ରିୟା, ଗୋଡ଼ବାଡ଼ ସାହିର ଜହ୍ନିଖାଇ, ତିଆଡ଼ି ସାହିର ହାଡ଼ବାଇ, ଖୁଂଟିଆ ସାହିର ବେଲବାଇ, ଗୁଡ଼ିଆ ସାହିର ଜମକୋଟ ଓ ଗେଲବାଇ ମୂର୍ତି ପୂଜା ପାଉଛନ୍ତି । ସେହିପରି ବଡ଼ଶଙ୍ଖ ଠାରେ ଶଙ୍ଖେଶ୍ଵରୀ, ମାର୍କେଟ ଛକ ଓ ଷ୍ଟେସନରେ ଦୁର୍ଗାମୂର୍ତି ପୂଜା ପାଉଛନ୍ତି । ମଣ୍ଡପ ଗୁଡିକରେ ଆଜି ମୃଣ୍ମୟୀ ଦେବୀଙ୍କ ଦଶହରା ପୂଜା ଅନୁଷ୍ଠିତ ହେଉଛି । ପୂଜା ମଣ୍ଡପରେ ମେଢ ଗୁଡ଼ିକ ଜିଙ୍କ ଜରି ଓ ଜମ୍ବରାରେ ନିର୍ମିତ ହୋଇଥିବା ବେଳେ ରଙ୍ଗୀନ ଆଲୋକମାଳାରେ ସେଗୁଡିକ ଝଲସି ଉଠୁଛି । ଏଥିସହ ବିଭିନ୍ନ ସାହିରେ ନାଗା ମେଢ ଶୋଭାବର୍ଦ୍ଧନ କରୁଛନ୍ତି । ବଡ଼ଦାଣ୍ଡରେ ମାଜଣା ଯାଗାରେ ନାଗାମେଢକୁ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ଦର୍ଶନ କରୁଛନ୍ତି । ଆସନ୍ତା କାଲି ସଂଧ୍ୟାରେ ସିଂହଦ୍ଵାର ସମ୍ମୁଖରେ ଗୋସାଣୀ ମେଲଣ ବା ଦେବୀ ସଭା ଅନୁଷ୍ଠିତ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ୬ ପ୍ଲାଟୁନ ପୋଲିସ ଫୋର୍ସ ମଣ୍ଡପ ଜଗିବା ସହ ୨୮ଟି ପାଟ୍ରୋଲିଂ ଟିମ୍ ସହରରେ ପଇଁତରା ମାରୁଛନ୍ତି ।
Related Stories
November 21, 2024
November 21, 2024