ପୁରୀ, ନବରାତ୍ରିର ନବମ ତଥା ଅନ୍ତିମ ଦୁର୍ଗା ସ୍ଵରୂପ ମାତା ସିଦ୍ଧିଦାତ୍ରୀ । ସିଦ୍ଧ ଗନ୍ଧର୍ବଯକ୍ଷାଦ୍ଦୈ ରସୁରୈ ରମରୈ ରପି ସେବ୍ୟମାନା ସଦା ଭୂୟାତ୍ ସିଦ୍ଧିଦା ସିଦ୍ଧି ଦାୟିନୀ । ।
ବ୍ରହ୍ମାଣ୍ଡର ଅୟମାରମ୍ଭ ସମୟରେ ସୃଷ୍ଟି ସର୍ଜନା ପାଇଁ ଭଗବାନ ରୁଦ୍ର ଆଦି ପରାଶକ୍ତିଙ୍କୁ ଆବାହନ କରିଥିଲେ । ଆଦି ପରାଶକ୍ତି ନିର୍ଗୁଣ ନିରାକାର ତେଣୁ ସେ ମହାରୁଦ୍ରଙ୍କ ବାମଭାଗରୁ ସାକାର ରୂପରେ ସିଦ୍ଧିଦାତ୍ରୀ ଭାବରେ ଆବିର୍ଭୁତା ହେଲେ । ନବରାତ୍ରିର ଅନ୍ତିମ ଅର୍ଥାତ୍ ନବମ ଦିନ ମା ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ । ମା ସିଦ୍ଧିଦାତ୍ରୀ କେତୁ ଗ୍ରହକୁ ନିୟନ୍ତ୍ରଣ କରନ୍ତି । ମା କମଳାସନା ଓ ସିଂହ ବାହିନୀ, ଦେବୀ ଚତୁର୍ଭୂଜା, ଦକ୍ଷିଣ ଦୁଇ ହସ୍ତରେ ଗଦା ଏବଂ ଚକ୍ର ଓ ବାମ ଦୁଇ ହସ୍ତରେ ଶଙ୍ଖ ଏବଂ ପଦ୍ମପୁଷ୍ପ ଧାରଣ କରନ୍ତି । ମା’ଙ୍କୁ କେବଳ ମାନବ ନୁହନ୍ତି ବରଂ ଦେବତା, ଗନ୍ଧର୍ବ, ଯକ୍ଷ ଏବଂ ସିଦ୍ଧ ସମସ୍ତେ ପୂଜା କରନ୍ତି ।
“ଦେବୀ ପୁରାଣ” ରେ ବର୍ଣ୍ଣିତ ଅଛି ଯେ, ସ୍ଵୟଂ ମହାଦେବ ମଧ୍ୟ ତାଙ୍କର ସମସ୍ତ ସିଦ୍ଧି ମହାଶକ୍ତିଙ୍କୁ ଆରାଧନା କରି ପ୍ରାପ୍ତ କରିଥିଲେ । ମା ତାଙ୍କ ଭକ୍ତଙ୍କୁ ଅଷ୍ଟ ସିଦ୍ଧି (ଅଣିମା, ମହିମା, ଗରିମା, ଲଘିମା, ପ୍ରାପ୍ତି, ପ୍ରକାମ୍ୟ, ଈଶୀତ୍ଵ ଓ ବଶିତ୍ଵ) ପ୍ରଦାନ କରନ୍ତି ।
ବାମଭାଗରୁ ମା ସିଦ୍ଧିଦାତ୍ରୀଙ୍କ ଆବିର୍ଭାବ ପରେ ମହାରୁଦ୍ରଙ୍କୁ ଅର୍ଦ୍ଧନାରୀଶ୍ଵର ରୂପରେ ପୂଜା କରାଗଲା ।