
ଭଦ୍ରକ, ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଶିଛି ବର୍ଷା ପାଣି । ମେଡ଼ିକାଲର ଆଉଟଡୋର ଓ ମେଡ଼ିସିନ ୱାର୍ଡ଼ରେ ପଶିଛି ବର୍ଷା ପାଣି । ବର୍ଷା ପାଣି ଡାକ୍ତରଖାନାରେ ପଶିବାରୁ ଗୋଟିଏ ପଟେ ରୋଗୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଅନ୍ୟପଟରେ ଚିକିତ୍ସା ସେବା ବାଧାପ୍ରାପ୍ତ ହୋଇଛି ।
ପ୍ରକାଶ ଥାଉକି, ଏହି ମେଡ଼ିକାଲରେ ପାଣି ପଶିବା ଘଟଣା ନୂଆ ନୁହେଁ, ପୂର୍ବରୁ ମଧ୍ୟ ଅନେକ ଥର ବର୍ଷାପାଣି ମେଡ଼ିକାଲରେ ପଶିବାର ନଜିର ରହିଛି । ମେଡ଼ିକାଲରେ ରହିଥିବା ଜଳ ନିଷ୍କାସନ ପଥ ଗୁଡିକ ଉପରେ ପଞ୍ଜିକରଣ ସେଡ୍ ଓ ଅନ୍ୟାନ୍ୟ ଗୃହ ନିର୍ମାଣ ହେବା ଫଳରେ ଜଳ ନିଷ୍କାସନ ପଥ ଅବରୋଧ ହୋଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି ।
ପ୍ରକାଶଯୋଗ୍ୟ, ଭଦ୍ରକ ସହରରେ ବ୍ରିଟିଶ ଅମଳରୁ ଥିବା ସ୍ଵରେଜ୍ ବ୍ୟବସ୍ଥା ଗୁଡିକ ଉପରେ କେତେକ ପ୍ରଭାବଶାଳୀ ବ୍ୟକ୍ତିବିଶେଷ ବେଆଇନ ଭାବେ ବହୁ କୋଠାବାଡ଼ି ନିର୍ମାଣ କରିଥିବା ବେଳେ ପୌରପାଳିକା ପକ୍ଷରୁ ଓଟି ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ହୋଇଛି । ଏପରକି ବହୁ ଅସାଧୁ ଲୋକ ଦୋକାନ ଗୃହ ଗୁଡିକ ଡ୍ରେନ ଅବରୋଧ କରି ନିର୍ମାଣ କରିଛନ୍ତି । ଫଳରେ ଅସରାଏ ବର୍ଷାରେ କେବଳ ଭଦ୍ରକ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ନୁହେଁ ସମଗ୍ର ସହର ଓ ଜିଲ୍ଲାପାଳଙ୍କ ନୂତନ କାର୍ଯ୍ୟାଳୟ ମଧ୍ୟ ଏଥିରୁ ବାଦ୍ ପଡୁନାହିଁ ।