ପୁରୀ, ଶ୍ରୀମନ୍ଦିରରେ ମା ବିମଳାଙ୍କ ମନ୍ଦିରରେ ଷୋଳଦିନାତ୍ମକ ଶାରଦୀୟ ପୂଜା ଓ ଚଣ୍ଡୀପାଠରେ କମ୍ପୁଛି ମନ୍ଦିର ପରିସର । ମା ବିମଳା ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ । ଓଡ଼ିଶାର ଅଷ୍ଟଚଣ୍ଡୀ ମାନଙ୍କ ମଧ୍ୟରୁ ମା ବିମଳା ହେଉଛନ୍ତି ଅନ୍ୟତମ । କାକଟପୁରରେ ମା ମଙ୍ଗଳା, ଝଙ୍କଡ଼ରେ ମା ଶାରଳା, ଯାଜପୁରରେ ମା ବିରଜା, ତାଳଚେରରେ ମା ହେଙ୍ଗୁଳା, ସମ୍ବଲପୁରରେ ମା ସମଲେଇ, ବାଙ୍କିରେ ମା ଚର୍ଚ୍ଚିକା, ବାଣପୁରରେ ମା ଭଗବତୀ ପୂଜା ପାଉଛନ୍ତି । ବିଷ୍ଣୁ ପୁରାଣରେ ମା ବିମଳା ପରମ ବୈଷ୍ଣବୀ ବୋଲି କୁହାଯାଇଛି । ମା ବିମଳା ଶ୍ରୀମନ୍ଦିରରେ ଆଦ୍ୟ ଦେବୀଭାବେ ପୂଜିତ । ଶ୍ରୀମନ୍ଦିର ନିର୍ମାଣ ପରେ ରାଜା ଇନ୍ଦ୍ରନ୍ଦ୍ୟୁମ୍ନ ମନ୍ଦିର ପ୍ରତିଷ୍ଠା ପାଇଁ ବ୍ରହ୍ମାଙ୍କ ନିକଟକୁ ଯାଇଥିଲେ । ବ୍ରହ୍ମ ଲୋକରେ ଗୋଟିଏ ଦିନ ମର୍ତ୍ୟଲୋକରେ ଶହ ଶହ ହୋଇଥାଏ । ରାଜା ବ୍ରହ୍ମ ଲୋକରୁ ଆସିବା ପରେ ଶ୍ରୀମନ୍ଦିରଟି ବାଲିରେ ପୋତି ହୋଇଯାଇଥିଲା । ମା ବିମଳା ରତ୍ନସିଂହାସନରେ ବିରାଜମାନ କରିଥିଲେ । ମା ବିମଳା ସିଂହାସନ ନଛାଡ଼ିବାରୁ ନୂତନ ମନ୍ଦିର ନିର୍ମାଣ କରି ମା ବିମଳାଙ୍କୁ ସେଠାକୁ ଯିବାକୁ ପ୍ରାର୍ଥନା କରିଥିଲେ । ମାଙ୍କ ନିର୍ଦ୍ଦେଶ ଅନୁସାରେ ଚତୁର୍ଦ୍ଦାମୂର୍ତିଙ୍କ ନିକଟରେ ଲାଗିହେଉଥିବା ପ୍ରସାଦ ଅନ୍ନ ମାଙ୍କ ନିକଟରେ ଅର୍ପଣ କରାଯିବା ପରେ ଏହା ମହାପ୍ରସାଦ ରୂପେ ଭକ୍ତ ପାଇଥାନ୍ତି ।
ମାଙ୍କ ମନ୍ଦିରଟି ଶ୍ରୀମନ୍ଦିରର ଦକ୍ଷିଣ ଦିଗରେ ଅବସ୍ଥିତ । ମନ୍ଦିରର ଉଚ୍ଚତା ୬୦ ଫୁଟ । ମନ୍ଦିରର ଗର୍ଭଗୃହ ଓ ଜଗମୋହନ ରହିଛି । ଜଗମୋହନରେ ଦଶମହାବିଦ୍ୟାଙ୍କ ଚିତ୍ରବିଦ୍ୟମାନ । ଦଶମହାବିଦ୍ୟାମାନେ ବିମଳା, ଛିନ୍ନମସ୍ତା, ଉଗ୍ରତାରା, ମହାକାଳୀ, କମଳା, ଧୂମାବତୀ, ଶ୍ୟାମାକାଳୀ, ଭୁବନେଶ୍ଵରୀ, ଷୋଡ଼ଶୀ ଓ ଭୈରବୀ । ମନ୍ଦିର ସମ୍ମୁଖରେ ରୋହିଣୀ କୁଣ୍ଡ ଅବସ୍ଥିତ । ମାଙ୍କ ମନ୍ଦିର ସମ୍ମୁଖରେ ମାଙ୍କ ବାହାନ ସିଂହ ବସିଛନ୍ତି । ମାଙ୍କ ବିଗ୍ରହର ଦୁଇ ପାର୍ଶ୍ଵରେ ଦୁଇଟି ପ୍ରତିମା ଦେହରକ୍ଷୀ ଭାବେ ବସିଛନ୍ତି । ମାଙ୍କ ବେଶଭୂଷା ମଧ୍ୟରେ ନାନାଦି ଅଳଙ୍କାର, ଫୁଲମାଳ, ପାଟଲୁଗା ଓ ସିନ୍ଦୁର ବିଭୂଷିତ ହୋଇ ମା ସିଂହାସନ ଉପରେ ବିଦ୍ୟାମାନ । ଧୂପ, ଦୀପ, କର୍ପୂର, ନୈବେଦ୍ୟ ଓ ପୁଷ୍ପ ବାସ୍ନାରେ ମହକୁଛି ମନ୍ଦିର । ମାଙ୍କ ନିକଟରେ ୬ ପ୍ରକାର ଭୋଗ ଲାଗି ହୁଏ । ସେଗୁଡ଼ିକ ହେଲା ସୁନାଥାଳି ଖେଚୁଡ଼ି, ବଡ଼କାନ୍ତି, ସାନକାନ୍ତି, ଝିଲି, ଶାଗଭଜା ଓ କଦଳୀ ଭଜା । ଷୋଳପୂଜାରେ ଷୋଳ ଦିନଯାକ ଚଣ୍ଡୀପାଠ କରାଯାଏ । ଷୋଳପୂଜାରେ ମହିଳାଙ୍କୁ ଦର୍ଶନ ପାଇଁ ବାରଣ କରାଯାଇଛି । ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ଠାରୁ ଶୁକ୍ଳପକ୍ଷ ଅଷ୍ଟମୀ ପର୍ଯ୍ୟନ୍ତ ଏହି ଷୋଳପୂଜା ଅନୁଷ୍ଠିତ ହୁଏ । ମାଙ୍କ ବେଶ ମଧ୍ୟରେ ବନଦୁର୍ଗା, ଭୂବନେଶ୍ଵରୀ, ନାରାୟଣୀ, ମାତାଙ୍ଗିନୀ, ଦଶଭୂଜା, ରାଜେଶ୍ଵରୀ, ହରଚଣ୍ଡୀ ଓ ସିଂହବାହିନୀ । ମା ବିମଳା ବୈକୁଣ୍ଠ ପୁରୀର ଅଧିଷ୍ଠାତ୍ରୀ ଦେବୀ । ବିଶ୍ଵ ଜଗତର ଶ୍ରେଷ୍ଠ ଶକ୍ତି, ସଚରାଚର ବ୍ରହ୍ମଣ୍ଡର ଆଦିଶକ୍ତି । ତ୍ରୈଲୋକ୍ୟ ପୁରୀର ମଉଡ଼ମଣୀ ଓ ବଡ଼ଦେଉଳ ବଡ଼ ଠାକୁରାଣୀ ମା ବିମଳା । ବିଶ୍ଵର ବିଭିନ୍ନ ସ୍ଥାନରୁ ହିନ୍ଦୁମାନେ ମାଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସିଥାନ୍ତି । ଷୋଳପୂଜା ଯୋଗୁ ମାଙ୍କ ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି।