

ଭୁବନେଶ୍ୱର – ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟମାନଙ୍କରେ ବକ୍ତୃତା, ଚିତ୍ରାଙ୍କନ, କୁଇଜ୍, କ୍ଷୁଦ୍ର ନାଟକ ପ୍ରତିଯୋଗିତା କରାଇବା ଏବଂ ଗାନ୍ଧୀଙ୍କ ଅହିଂସା ଆଦର୍ଶରେ ଛାତ୍ରଛାତ୍ରୀମାନଙ୍କୁ ଅନୁପ୍ରାଣିତ କରିବାକୁ ବିଭାଗୀୟ କର୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି । ଆଜିର ଦିନରେ ଗାନ୍ଧିଜୀଙ୍କ ସତ୍ୟ ଓ ଅହିଂସାର ପ୍ରାସଙ୍ଗିକତା ସବୁଠୁ ବେଶୀ । ଭାରତୀୟ ସମ୍ବିଧନର ମୁଖବନ୍ଧରେ ଅହିଂସା ଶବ୍ଦକୁ ସ୍ଥାନିତ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ସାରା ବିଶ୍ୱ ଏ ବର୍ଷ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛି । ଏହି ଅବସରରେ ଅହିଂସା ଶବ୍ଦ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ ହେଲେ ତାହା ଆମର ଗାନ୍ଧିଜୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ପ୍ରକାଶ କରିଥିଲେ ।
ଏହି ପରିପ୍ରେକ୍ଷୀରେ ଆମ ରାଜ୍ୟର ସବୁ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଅହିଂସା ଶବ୍ଦର ମହତ୍ୱ ଓ ଅହିଂସାର ମାର୍ଗ ସଂପର୍କରେ ଅଧିକରୁ ଅଧିକ ଜାଣିବା ଆବଶ୍ୟକ । ଏଥି ପାଇଁ ଅହିଂସା ଶବ୍ଦକୁ ଭିତିକରି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗ୍ରାମପଂଚାୟତ ସ୍ତରଠାରୁ ଆରମ୍ଭ କରି ବ୍ଲକସ୍ତର ଏବଂ ଜିଲ୍ଲାସ୍ତର ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ୍, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ବିଶ୍ୱନାଥ ପ୍ରଧାନ, ଓପେପା ନିର୍ଦ୍ଦେଶକ ଶ୍ରୀ ଭୂପିନ୍ଦର ସିଂ ପୁନିଆଙ୍କ ସମେତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।