
-
ଲୋକସେବା ଭବନରେ ସ୍ୱରାଜ ବୃକ୍ଷ ରୋପଣ କଲେ ମୁଖ୍ୟମନ୍ତ୍ରୀ
-
ଅହିଂସା ରଥକୁ ସ୍ୱାଗତ, ସମ୍ମାନିତ ହେଲେ ସ୍ୱାଧୀନତା ସଂଗ୍ରାମୀ
-
ଅଶ୍ୱତ୍ଥ ବୃକ୍ଷ ଶାନ୍ତି, ସ୍ୱାଧୀନତା ଓ ଅହିଂସାର ପ୍ରତୀକ – ମୁଖ୍ୟମନ୍ତ୍ରୀ
-
ଗାନ୍ଧୀଙ୍କ ଶାନ୍ତି ଓ ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇ ଏକ ସମୃଦ୍ଧ ଭାରତ ଗଠନ ନିମନ୍ତେ ଶକ୍ତିଶାଳୀ ଯୋଗଦାନ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ଭୁବନେଶ୍ୱର, ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ । ସ୍ୱାଧୀନତାର ୭୫ ବର୍ଷରେ ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ଜନ୍ମତିଥିର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି । ଏହି ଅବସରରେ ଲୋକସେବା ଭବନରେ ପାଳିତ ହୋଇଛି ଶାନ୍ତି, ଅହିଂସା ଓ ସ୍ୱରାଜର ମହୋତ୍ସବ ।
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ ପରିସରରେ ପବିତ୍ର ଅଶ୍ୱତ୍ଥ ବୃକ୍ଷକୁ ସ୍ୱରାଜ ବୃକ୍ଷ ଭାବରେ ରୋପଣ କରିଛନ୍ତି । ସାରା ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପବିତ୍ର ମାଟି ଓ ଜଳ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ସ୍ୱରାଜ ବୃକ୍ଷ ରୋପଣ କରିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅଶ୍ୱତ୍ଥ ବୃକ୍ଷ ସାରା ଦେଶରେ ଯୁଗ ଯୁଗ ଧରି ଶାନ୍ତି, ସ୍ୱାଧୀନତା ଓ ଅହିଂସାର ବାର୍ତ୍ତା ବହନ କରିଆସିଛି ଏବଂ ଯୁଗ ଯୁଗ ପାଇଁ ଏ ବାର୍ତ୍ତା ବହନ କରିଚାଲିବ । ଗାନ୍ଧୀଙ୍କ ଶାନ୍ତି ଓ ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇ ଏକ ସମୃଦ୍ଧ ଭାରତ ଗଠନ ନିମନ୍ତେ ଶକ୍ତିଶାଳୀ ଯୋଗଦାନ ରଖିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ବୃକ୍ଷ ସିନ୍ଧୁ ସଭ୍ୟତାରୁ ଆରମ୍ଭ କରି ଭଗବାନ ବୁଦ୍ଧଙ୍କ ସାଧନା ସହ ଯୋଡି ହୋଇ ରହିଛି । ଗୀତାରେ ମଧ୍ୟ ଏ ବୃକ୍ଷର ବର୍ଣ୍ଣନା ରହିଛି । ଏ ବୃକ୍ଷ ଆମ ସାମାଜିକ ଓ ସାଂସ୍କୃତିକ ଜୀବନର ସାକ୍ଷୀ । ଏହା ଅତୀତରେ ଥିଲା, ବର୍ତ୍ତମାନ ଅଛି ଏବଂ ଭବିଷ୍ୟତରେ ମଧ୍ୟ ରହିଥିବ ।
ଏହି ଅବସରରେ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସଂଘର ସଭାପତି, ଶ୍ରୀ ନୀଳମଣି ସାମଲ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଧୀନତା ସଂଗ୍ରାମର ଏକ ପ୍ରମୁଖ ପ୍ରତୀକ ଭାବେ ଏକ ଅରଟ ଉପହାର ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ସାମଲଙ୍କୁ ଏକ ଶାଲ୍ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।
ଏହି ଅବସରରେ ସାରା ରାଜ୍ୟରେ ବୁଲି ବୁଲି ଶାନ୍ତି ଓ ଅହିଂସାର ବାର୍ତ୍ତା ପ୍ରଚାର କରୁଥିବା ଅହିଂସା ରଥ ଆସି ଲୋକସେବା ଭବନରେ ପହଞ୍ଚିଥିଲା । ଏହାକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ଆହିଂସା ରଥକୁ ଓଡିଶାବାସୀ ଯେଭଳି ଭାବରେ ବିପୁଳ ସ୍ୱାଗତ ସମ୍ମାନ ଜଣାଇଲେ ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଉତ୍କଳ ପ୍ରସଙ୍ଗ, ଓଡିଶା ରିଭ୍ୟୁ ର ସ୍ୱତନ୍ତ୍ର ସଂଖ୍ୟା ସହିତ ଓଡିଶା ରେ ଗାନ୍ଧୀ ପୁସ୍ତକ ର ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ ।
ମନ୍ତ୍ରୀ ଶ୍ରୀ ପ୍ରଦୀପ ଅମାତ, ଓ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀମଣ୍ଡଳ ର ସଦସ୍ୟ ବୃନ୍ଦ ବିଧାୟକ ଗଣ ମୁଖ୍ୟ ଶାସନ ସଚିବ , ମୁଖ୍ୟମନ୍ତ୍ରୀ ଙ୍କ ମୁଖ୍ୟ ପରାମର୍ଶଦାତା ଙ୍କ ସମେତ ବରିଷ୍ଠ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ । ବିଶିଷ୍ଟ ଗାୟିକା ନାଜ଼ୀଆ ଆଲାମ ରାମଧୁନ ଗାନ କରିଥିଲେ ।