
ନୂଆଁଖାଇ କୋଶଳ ଅଂଚଳର ଏକ ଗଣପର୍ବ । ରାଜା ଠାରୁ ରଙ୍କ ପର୍ଯ୍ଯନ୍ତ ଏ ଅଂଚଳର ବାସୀନ୍ଦା ଏ ପର୍ବଟିକୁ ଉତ୍ସାହର ସହିତ ପାଳନ କରିଥାଆନ୍ତି । କେଉଁ ଆଦିମ କାଳରୁ ଏହା ପାଳିତ ହୋଇ ଆସୁଛି । ଏ ମହାପର୍ବଟି ସାର୍ବଜନୀନ ଭାବରେ ପାଳିତ ହୋଇ ଆସୁଥଲେ ହେଁ ଏହାର ପାଳନରେ ୧୯୯୨ ପୂର୍ବରୁ ସ୍ଥାନୀୟ ବିଭିନ୍ନତା ଦେଖାଯାଉଥିଲା । କାରଣ କୋଶଳ ଐତିହାସିକ ଘଟଣାକ୍ରମରେ ବିଭିନ୍ନ ଛୋଟ ଛୋଟ ଗଡଜାତ ରାଜ୍ଯ ଏବଂ ଜମିଦାରୀରେ ବିଭକ୍ତ ହୋଇ ରାଜା ଏବଂ ଜମିଦାରଙ୍କ ଈଷ୍ଟଦେବୀଙ୍କ ନାମାନୁସାରେ ନବାନ୍ନର ତିଥି ନିର୍ଧାରଣ ହେଉଥିଲା । ତେଣୁ ବଭିନ୍ନ ରାଜ୍ଯ ଏବଂ ଜମିଦାରୀ ମାନଙ୍କରେ ଭିନ୍ନ ଦିନରେ ନବାନ୍ନ ପର୍ବ ପାଳନ ହେଉଥିଲା । ତେଣୁ ନୂଆଁଖାଇ କୋଶଳାଂଚଳର ଏକ ମୌଳିକ ପର୍ବ ହୋଇଥିଲେ ହେଁ ପର୍ବଟି ପାଳନର ଏକଗ୍ରତା ନ ଥିଲା । ସ୍ବାଧୀନତା ପରେ ନୂଆଁଖାଇ ଛୁଟି ଘୋଷଣା କରିବାକୁ ଅଧିକୃତ ଜିଲ୍ଲାପାଳ ମାନଙ୍କୁ ରାଜା ଜମିଦାର ମାନଙ୍କ ଘୋଷଣା ପତ୍ରକୁ ଅପେକ୍ଷା କରିବାକୁ ପଡୁଥିଲା।
୧୯୮୫ ମସିହା ସେପ୍ଟେମ୍ବର ୮ ତାରିଖରେ ଏକ ଦୈନିକ ସମ୍ବାଦପତ୍ର ପୃଷ୍ଠାରେ ”ନୂଆଁଖାଇ” ଶୀର୍ଷକରେ ରାଜେନ୍ଦ୍ର ପ୍ରସାଦ ମିଶ୍ରଙ୍କର ଏକ ଲେଖା ପ୍ରକାଶ ପାଇଲା, ଯେଉଁଥିରେ ଯୁକ୍ତିଥିଲା ଯେ, ସ୍ବାଧୀନତା ପରେ ଓଡିଶା ସରକାର ସଂପ୍ରତି ଶାସକ ହୋଇଥିବାରୁ ନବନ୍ନ ତିଥିକୁ ଓଡିଶା ସରକାର ଘୋଷଣା କରି ତାଙ୍କ ପ୍ରଶାସନିକ କର୍ତ୍ତବ୍ଯ ନିର୍ବାହ କରନ୍ତୁ । କାରଣ ରାଜା ତଥା ଜମିଦାର ମାନଙ୍କର ନୂଆଁଖାଇ ତିଥି ଘୋଷଣା କରିବା ଥିଲା ଏକ ପ୍ରଶାସନିକ କର୍ତ୍ତବ୍ଯ, ସାଂସ୍କୃତିକ ଅଧିକାର ନୁହେଁ । ଉତ୍କଳର ”ରଜ” ଯେପରି ଏକ ସାର୍ବଜନୀନ ପର୍ବ ”ନୂଆଁଖାଇ ” କୋଶଳର ତାଦୃଶ ଏକ ସାର୍ବଜନୀନ ପର୍ବ । ନୂଆଁଖାଇକୁ ସମଗ୍ର କୋଶଳ ଅଂଚଳରେ ଏକଦିବସୀୟ କରି ନୂଆଁଖାଇକୁ ଏକ ସାଂସ୍କୃତିକ ମର୍ଯ୍ଯାଦା ଦେବା ତଥା କୋଶଳ ଅଂଚଳକୁ ଗୋଟିଏ ସୂତ୍ରରେ ଯୋଡିବା ଥିଲା ଏହି ଲେଖାର ଦୂରଗାମୀ ଉଦ୍ଧେଶ୍ଯ, ଯାହା କୋଶଳ ଅଂଚଳର ଅନେକ ବୁଦ୍ଧିଜୀବି ଏବଂ ନେତାଙ୍କୁ ସୁହାଇଲା ।
ସେମାନେ କାଳକ୍ରମେ ଓଡିଶାର ତତ୍କାଳୀନ ମୁଖ୍ଯମନ୍ତ୍ରୀ ବିଜୟାନନ୍ଦ ପଟନାୟକ ଏବଂ ପୁରୀ ମୁକ୍ତି ମଣ୍ଡପକୁ ପ୍ରଭାବିତ କରି ଗଣେଶ ପୂଜା ପରବର୍ତ୍ତୀ ଋଷି ପଂଚମୀକୁ ନୂଆଁଖାଇର ତିଥିଧାର୍ଯ୍ଯ କରି ଉଭୟ ପଂଜୀକାରେ ସ୍ଥାନୀତ କରିଦେଲେ । ଫଳରେ ନବାନ୍ନ ତିଥିର ବିଭିନ୍ନତା ରହିଲା ନାହିଁ । କୋଶଳ ଅଂଚଳର ସାସ୍କୃତିକ ସ୍ବତନ୍ତ୍ରତା ସୁଦୃଢ଼ ହୋଇଗଲା। ୧୯୯୨ ପରେ ଦୁଇ ତିନିବର୍ଷ ଧରି ରାଜା ଏବଂ ଜମିଦାର ମାନେ ନୂଆଖାଇ ତିଥି ନିର୍ଧାରଣ କରିବା ସେମାନଙ୍କ ସାଂସ୍କୃତିକ ଅଧିକାର ବୋଲି ନୂଆଁଖାଇର ବେସରକାରୀ ତିଥି ନିର୍ଧାରଣ ପ୍ରଚାର ପତ୍ର ତଥା ଡେଙ୍ଗୁରା ଦେଲେ । କିନ୍ତୁ, ଜନସାଧାରଣ ତାକୁ ଆଉ ଗ୍ରହଣ ନକରି ପ୍ରତ୍ୟାଖ୍ୟାନ କଲେ । ଆଜି ମଧ୍ୟ କେବଳ ଭବାନୀପାଟଣା ସହରରେ ଏଥିରେ ବ୍ଯତିକ୍ରମ ରହିଥିବା ଦେଖାଯାଉଛି । ରାଜଙ୍କର ଈଷ୍ଟ ଦେବୀ ମାଣିକେଶ୍ବରୀ ଯାହାଙ୍କ ବିଗ୍ରହ ରାଜ ଉଆସ ଭିତରେ ରହିଛି, ତାଙ୍କର ଯାତ୍ରା ଭାଦ୍ରବ ଶୁକ୍ଳ ଅଷ୍ଟମୀରେ ନବାନ୍ନ ପାଳନ କରୁଛନ୍ତି । କୋସଳି ଭାଷାଭାଷୀ ଅଂଚଳର ଏକତା ପାଇଁ କୋଶଳାଂଚଳର ସାସ୍କୃତିକ ଏକାଗ୍ରତା ଯେ ଏକାନ୍ତ କାମ୍ଯ ଏହା କୋଶଳ ଅଂଚଳର ପ୍ରତ୍ଯେକ ନାଗରୀକ ହୃଦୟଙ୍ଗମ କରିବାର ଆବଶ୍ଯକତା ରହିଛି। ନୂଆଖାଇ ଯେ ଏକମାତ୍ର ପର୍ବ ଯାହା ଏହି ଅଞ୍ଚଳରେ ସଂସ୍କୃତିକ ଏକତା ଓ ଅଖଣ୍ଡତା ଆଣିବା ଦିଗରେ ଏକମାତ୍ର ସେତୁର ସୂତ୍ର ରୂପରେ କାମ ଦେବ ଏହା ଅନ ସ୍ଵୀକାର୍ଯ୍ୟ।
ଗୋପବନ୍ଧୁ ଶତପଥୀ, ବଲାଙ୍ଗୀର