ନୂଆଦି୍ଲୀ,୭୫ ଦିନ ଧରି ଚାଲିଥିବା କୋଭିଡ ଟିକାକରଣ ଅମୃତ ମହୋତ୍ସବ ଶୁକ୍ରବାର ଶେଷ ହୋଇଛି । ଏହି ଅଭିଯାନ ଜୁଲାଇ ୧୫, ୨୦୨୨ରେ ମିଶନ ମୋଡରେ ଆରମ୍ଭ ହୋଇଥିଲା । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସ୍ୱତନ୍ତ୍ର କୋଭିଡ ଟିକାକରଣ ଅଭିଯାନ ମାଧ୍ୟମରେ ଯୋଗ୍ୟ ବୟସ୍କ ଜନସଂଖ୍ୟା (୧୮ ବର୍ଷରୁ ଅଧିକ ଓ ଯେଉଁମାନେ ଦ୍ୱିତୀୟ ଡୋଜ ନେବା ପରେ ୬ ମାସ କିମ୍ବା ୨୬ ସପ୍ତାହ ସଂପୂର୍ଣ୍ଣ କରି ସାରିଥିବା)ଙ୍କ ମଧ୍ୟରେ ପ୍ରତିଷେଧକ ଡୋଜ ବଢାଇଥିଲେ ।
୭୫ ଦିନ ମଧ୍ୟରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବସଷ୍ଟାଣ୍ଡଗୁଡିକରେ ୧୧,୧୦୪, ରେଳ ଷ୍ଟେସନଗୁଡିକରେ ୫୬୬୪, ବିମାନବନ୍ଦରରେ ୫୧୧, ବିଭିନ୍ନ ସ୍କୁଲ ଓ କଲେଜରେ ୧,୫୦,୦୦୪ରୁ ଅଧିକ ଓ ଧାର୍ମିକ ଯାତ୍ରାର ଗନ୍ତବ୍ୟ ପଥଗୁଡିକରେ ୪,୪୫୧ ଓ ବିଭିନ୍ନ ବେସରକାରୀ, ସରକାରୀ କାର୍ଯ୍ୟାଳୟ ଓ ଔଦ୍ୟୋଗିକ ପ୍ରତିଷ୍ଠାନରେ ୧୧,୩୦,୦୪୪ରୁ ଅଧିକ ଶିବିର ଆୟୋଜିତ ହୋଇଥିଲା ।
ଫଳସ୍ୱରୂପ ଏହି ୭୫ ଦିନ ମଧ୍ୟରେ ୭୬.୧୮ ଲକ୍ଷରୁ ଅଧିକ ପ୍ରଥମ ଡୋଜ, ୨.୩୫ କୋଟି ଦ୍ୱିତୀୟ ଡୋଜ ଓ ୧୫.୯୨ କୋଟି ପ୍ରତିଷେଧକ ଡୋଜ ପ୍ରଦାନ କରାଯାଇ ପାରିଥିଲା । ଦୈନିକ ୨୪.୭୩ ଲକ୍ଷ ଡୋଜରୁ ଅଧିକ ଟିକା ଦିଆଯାଇଥିଲା ଏଥିରେ ଦୈନିକ ୨୦.୬୮ ଲକ୍ଷ ପ୍ରତିଷେଧକ ଡୋଜ ସାମିଲ ଥିଲା ।