ଗଞ୍ଜାମ,ଦଶହରା ପୂଜା ପାଇଁ ବ୍ରହ୍ମପୁର ସହର ଚଳଚଂଚଳ ହୋଇଉଠିଥିବା ବେଳେ ସଂନ୍ଧ୍ୟା ହେଲେ ସହରରେ ଅଧିକ ଜନଗହଳି ପରିଲକ୍ଷିତ ହେଉଛି । ସଂନ୍ଧ୍ୟାରେ ଟ୍ରାଫିକ୍ ନିୟନ୍ତ୍ରଣ ସହ ପୂଜା ପରିଚାଳନା କରିବାକୁ ବ୍ରହ୍ମପୁର ଏସପି ଡଃ. ସର୍ବଣା ବିବେକ ଏମ୍ ପୂଜା କମିଟି ମାନଙ୍କୁ ଅନୁରୋଧ କରିଛନ୍ତି । ପୂଜା ମଣ୍ଡପରେ ସିସି ଟିଭି କ୍ୟାମେରା ଲଗାଇବାକୁ କମିଟି ମାନଙ୍କୁ ପରାମର୍ଶ ଦିଆଯାଇଛି । ସେହିପରି ରାତି ୧୦ଟା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ଏସପି ନିର୍ଦ୍ଦେଶ ଦେଇଛନ୍ତି । ପୂଜା ପରିଚାଳନାରେ ରହୁଥିବା ସ୍ଵେଚ୍ଛାସେବୀଙ୍କ ତାଲିକା ପ୍ରସ୍ତୁତ କରି ସ୍ଥାନୀୟ ଥାନାରେ ଦେବାକୁ ଏସପି କହିଛନ୍ତି । ପ୍ରତ୍ୟେକ ଅଂଚଳରେ ପୂଜାରେ ସମସ୍ୟା ଓ ତାର ସମାଧାନ କିପରି ହୋଇପାରିବ ସେ ସମ୍ପର୍କରେ ପୂଜା କମିଟିର ମତାମତ ନେଇଥିଲେ । ସୂଚାରୁ ରୂପେ ପୂଜା ପରିଚାଳନା କରିବା ସହ କୌଣସି ସ୍ଥାନରେ ଯେପରି ବିଶୃଙ୍ଖଳା ନହେବ ସେଥିପ୍ରତି ପରାମର୍ଶ ଦେଇଥିଲେ । ପୋଲିସ ଅଧିକାରୀ ମାନେ ପାଟ୍ରୋଲିଂକୁ କଡ଼ାକଡ଼ି କରିବେ ଏବଂ ଚୋରଙ୍କ ଉପରେ ନଜର ରଖିବେ । ପୂଜା ସମୟରେ ସୁନା ଚେନ ଲୁଟେରା ସହରକୁ ଆସିଥାନ୍ତି, ସେମାନଙ୍କ ଉପରେ ନଜର ରଖିବାକୁ ଏସପି ପରାମର୍ଶ ଦେଇଛନ୍ତି ।
ସେହିପରି ଟ୍ରାଫିକ୍ ସମସ୍ୟା ଦୂର କରିବା ପାଇଁ ଏସପି ଏକ ପାଖିଆ ରାସ୍ତା (ୱାନ ୱେ ଟ୍ରାଫିକ) ବ୍ୟବସ୍ଥା କରିବା ପାଇଁ ପୋଲିସ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହି ଜାଗା ମାନଙ୍କରେ ପୋଲିସ ଅଧିକାରୀମାନେ ନିୟୋଜିତ ରହିବେ । ଯଦି କୌଣସି ବ୍ୟକ୍ତି ଟ୍ରାଫିକ୍ ନିୟମକୁ ଉଲ୍ଲଙ୍ଘନ କରନ୍ତି, ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ଜରିମାନା ଆଦାୟ କରିବାକୁ ଏସପି ନିର୍ଦ୍ଦେଶ ଦେଇଛନ୍ତି ।