ଭୁବନେଶ୍ୱର, ବରିଷ୍ଠ ନାଗରିକମାନଙ୍କର ଅଭିଜ୍ଞତା, ଉପଲବ୍ଧି ଓ ଯୋଗ୍ୟତା ଆମ ସମାଜ-ଜୀବନର ଗୁରୁତ୍ୱପୂର୍ଣ୍ଣ ସମ୍ବଳ । ସେମାନେ ଆମ ସମାଜର ମଙ୍ଗୁଆଳ ଓ ସେମାନଙ୍କ ସୁରକ୍ଷା ତଥା କଲ୍ୟାଣ ବର୍ତମାନର ସମାଜ, ସରକାର ଓ ବ୍ୟବସ୍ଥାର କର୍ତବ୍ୟ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । ଶନିବାର ପୂର୍ବାହ୍ନରେ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ ଆନୁକୂଲ୍ୟରେ ଆୟୋଜିତ ‘ବିଶ୍ୱ ବରିଷ୍ଠ ନାଗରିକ ଦିବସ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା ଉପରୋକ୍ତ ମର୍ମରେ ସେମାନଙ୍କର ସର୍ବବିଧ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ବୁଦ୍ଧ ମନ୍ଦିରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ଯୋଜନାଗୁଡ଼ିକ ଉପରେ ସୂଚନା ଦେଇଥିଲେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରତି ଜିଲ୍ଲାରେ ନିର୍ମାଣ କରାଯାଉଥିବା ସମନ୍ୱିତ ଭିତିଭୂମି କେନ୍ଦ୍ରଗୁଡ଼ିକରେ ବରିଷ୍ଠ ନାଗରିକଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା ରହିବ ବୋଲି ଦର୍ଶାଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଲେ ଯେ ପ୍ରଥମ ପର୍ଯ୍ୟାୟରେ ଜଟଣୀ ଓ ସମ୍ବଲପୁରରେ ଏହି କେନ୍ଦ୍ର ନିର୍ମାଣ କାର୍ଯ୍ୟ ସରିଥିବାବେଳେ ଆଉ ୧୦ଟି ଜିଲ୍ଲାରେ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି ।
କାର୍ଯ୍ୟକ୍ରମରେ ମହାସଂଘର ମୁଖପତ୍ର ‘ଅପରାହ୍ନ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ମହାସଂଘର ସଭାପତି କୃପାସିନ୍ଧୁ ପଣ୍ଡା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକ, ସାଧାରଣ ସଂପାଦକ ପ୍ରସନ୍ନ କୁମାର ଦାସ, ଗଙ୍ଗାଧର ସାହୁ, ହରିହର ପାଣିଗ୍ରାହୀ, ସୁରେଶ କୁମାର ମନ୍ତ୍ରୀ ଓ ହେଲପ୍ଏଜ ଇଣ୍ଡିଆର ଭାରତୀ ଚକ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ ।