ଭୁବନେଶ୍ୱର, ବିନା ମୂଲ୍ୟରେ ଟିକାକରଣ ଅବଧି ଗତକାଲି ଶେଷ ହୋଇଛି । ତେବେ ରାଜ୍ୟରେ ଆଗକୁ ମଧ୍ୟ ମାଗଣାରେ ଟିକାକରଣ ଜାରି ରହିବ ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗତ ଜୁଲାଇ ୧୫ରୁ ସେପ୍େଟମ୍ବର ୩୦ ପର୍ଯ୍ୟନ୍ତ କୋଭିଡ ଟିକାକରଣର ଅମୃତ ମହୋତ୍ସବ ଚାଲିଥିଲା । ଏହି କ୍ରମରେ ୧୮ ରୁ ୫୯ ବୟସର ଲୋକଙ୍କୁ ମାଗଣାରେ ଟୀକା ଦିଆ ହେଉଥିଲା । ଏହି ଅବଧି ମଧ୍ୟରେ ଏକ କୋଟି ୨୧ ଲକ୍ଷ ୫୦ହଜାର ପ୍ରିକସନ ଡୋଜ ଟୀକା ଦିଆ ଯାଇଛି । ୬୦ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ମାଗଣା ଟୀକା ଆଗରୁ ଦିଆଯାଉଥିଲା । ସେମାନଙ୍କ ମଧ୍ୟରୁ ୪୫ ପ୍ରତିଶତ ଲୋକ ମଧ୍ୟ ଟୀକା ନେଇ ସାରିଛନ୍ତି । ୩୮ ପ୍ରତିଶତ ଲୋକ ପ୍ରିକସନ ଡୋଜ ନେଇ ସାରିଛନ୍ତି ।
ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣା ଟିକାକରଣ ବନ୍ଦ ପାଇଁ କୌଣସି ନିର୍ଦେଶ ଆସିନାହିଁ । ତେଣୁ ରାଜ୍ୟରେ ଯେତିକି ଟୀକା ମହଜୁଦ ଅଛି ସେଗୁଡିକ ନସରିବା ଯାଏଁ ମାଗଣା ଟିକାକରଣ ଚାଲୁରହିବ । ସାଢ଼େ ତିନି ଲକ୍ଷ ଟୀକା ରାଜ୍ୟରେ ଏବେ ମହଜୁଦ ଅଛି । ଆଜି କିମ୍ବା କାଲି ଭିତରେ ଆଉ କିଛି ଟୀକା ଆସିବାର ଅଛି । ପ୍ରଥମ ଡୋଜ ୯୭ ପ୍ରତିଶତ ଲୋକ ନେଇଥିବା ବେଳେ ଦ୍ୱିତୀୟ ଡୋଜ ୯୧ ପ୍ରତିଶତ ଲୋକ ନେଇ ସାରିଲେଣି । ପ୍ରିକସନ ଡୋଜ ନେବାରେ ଓଡିଶା ଅନ୍ୟ ରାଜ୍ୟ ତୁଳନାରେ ଅନେକ ଆଗରେ ଅଛି । ଓଡ଼ିଶାରେ ଏକ କୋଟି ୨୧ ଲକ୍ଷ ୫୦ ହଜାର ୨୪୩ ଜଣ ଲୋକ ପ୍ରିକସନ ଡୋଜ ନେଇ ସାରିଛନ୍ତି । ବର୍ତମାନ ୧୧୫୦ ଟୀକା କେନ୍ଦ୍ରରେ ଟିକାକରଣ ପ୍ରକ୍ରିୟା ଚାଲୁ ରହିଛି । ପାର୍ବଣ ଋତୁରେ ଗହଳି ହେବ । କିନ୍ତୁ ତା ପୂର୍ବରୁ ଲୋକ ଦୁଇଟି ଡୋଜ ନେଇସାରିଛନ୍ତି । ତେଣୁ ବିଶେଷ କିଛି ଅସୁବିଧା ହେବନି ।