ଭୁବନେଶ୍ୱର, ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଅବଧି ବଢ଼ିବାକୁ ଯାଉଛି । ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ମାମଲାର ଶୁଣାଣି ଚାଲି ଥିବାବେଳେ ଆଉ ମାସେ ସମୟ ସୀମା ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି । ଏନେଇ ଆଜି ସରକାର ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ଜଣା ପଡିଛି ।
ସ୍ଲଟ୍ ବୁକିଂ ପାଇଁ ପୋଷ୍ଟ ଅଫିସ୍, ଜନସେବା କେନ୍ଦ୍ରକୁ ସାମିଲ୍ ପାଇଁ ପ୍ରସ୍ତାବ ଦିଆଯାଇଛି । ଆସନ୍ତା ଅକ୍ଟୋବର ୨୬ ତାରିଖରେ ମାମଲାର ପରବର୍ତୀ ଶୁଣାଣି ହେବ ବୋଲି ଜଣା ପଡିଛି ।
ଉଲ୍ଲେଖନୀୟ ଯେ ଗାଡି ନମ୍ବରର ଶେଷ ଅଙ୍କ ୧, ୨, ୩, ୪ର ଡେଡ୍ଲାଇନ୍ ଆଜି ସରୁଛି । ନୂଆ ନମ୍ବର ପ୍ଲେଟ୍ ଲଗାଇ ନଥିଲେ ବି ଯଦି କୌଣସି ଗାଡ଼ି ମାଲିକ ସ୍ଲଟ୍ ବୁକିଂ କରିନଥିବେ ତେବେ ଆସନ୍ତାକାଲିଠୁ ସେମାନଙ୍କଠୁ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଥିଲା । ହେଲେ ଆଉ ମାସେ ସମୟ ସୀମା ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି । ଫଳରେ ଲୋକଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିପାରେ ବୋଲି ଅନୁମାନ କରା ଯାଉଛି ।