-
ବିଜେଡିର ଜନସଂପର୍କ ପଦଯାତ୍ରା ପ୍ରସ୍ତୁତି ବୈଠକ ଉଦଯାପିତ
-
ନିର୍ବାଚନ ବେଳେ ରାଜନୀତି ହୁଏ, ନିର୍ବାଚନ ସରିଲେ ସମସ୍ତେ ଏକାଠି ହୋଇ କାମ କରିବା ଦରକାର
ଭୁବନେଶ୍ୱର, ଲୋକଙ୍କ ସେବା ହେଉଛି ମୁଖ୍ୟ, ରାଜନୀତି ଏଥିପାଇଁ ଏକ ମାଧ୍ୟମ ମାତ୍ର । ଏହା ଆମେ ସମସ୍ତେ ମନେ ରଖିବା ଦରକାର । ପଂଚାୟତ ଓ ପୌର ନିର୍ବାଚନ ସମୟରେ ରାଜନୀତି ହୁଏ । ନିର୍ବାଚନ ସରିବା ପରେ ସମସ୍ତେ ଏକାଠି ହୋଇ ଲୋକଙ୍କ ପାଇଁ କାମ କରନ୍ତୁ । ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହେଉଥିବା ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରାକୁ ସଫଳ କରିବା ନିମନ୍ତେ ବରମୁଣ୍ଡା ପଡ଼ିଆରେ ଆୟୋଜିତ ପ୍ରସ୍ତୁତି ବୈଠକର ଦ୍ୱିତୀୟ ଦିବସରେ ଭର୍ଚୁଆଲ ମାଧ୍ୟମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ଜନ ପ୍ରତିନିଧି ଓ କର୍ମକର୍ତାମାନଙ୍କୁ ଏଭଳି ଆହ୍ୱାନ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଯେ ଏକ ଆଂଚଳିକ ଦଳ ଭାବେ ଆମେ ସବୁବେଳେ ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନକୁ ପ୍ରାଥମିକତା ଦେଇ ଆସିଛୁ । ଆଗକୁ ମଧ୍ୟ ଦେଇ ଚାଲିବୁ । ଆମ ଦଳ ଲୋକଙ୍କ ସୁଖଦୁଃଖରେ ଏବଂ ଲୋକଙ୍କ ସାଥିରେ ରହି ଆସିଛି । ଏହି ଧାରାକୁ ଅନୁସରଣ କରି ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କୁ ସାଥିରେ ନେଇ ଲୋକଙ୍କ ପାଖକୁ ଯାଆନ୍ତୁ ଏବଂ ସାରା ରାଜ୍ୟରେ ଏହି ପଦଯାତ୍ରାକୁ ସଫଳ କରାନ୍ତୁ ।
ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ୱ ଓ ସ୍ୱଚ୍ଛ ପ୍ରଶାସନ ଯୋଗୁଁ ଓଡ଼ିଶା ଆଜି ପ୍ରତିଟି କ୍ଷେତ୍ରରେ କିପରି ଉନ୍ନତିର ମାର୍ଗରେ ଦ୍ରୁତ ଗତିରେ ଆଗଉଛି, ତାହାର ବାର୍ତା ରାଜ୍ୟର କୋଣ ଅନୁକୋଣରେ ପହଂଚାଇବା ଲାଗି ବୈଠକରେ ଉପସ୍ଥିତ ଥିବା ଦଳର କର୍ମକର୍ତାମାନଙ୍କୁ ମନ୍ତ୍ର ଦେଇଥିଲେ ।
ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଲେ, ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଚିନ୍ତାଧାରା ଯୋଗୁଁ ସମସ୍ତଙ୍କ ଶ୍ରଦ୍ଧାଭାଜନ ହୋଇଛନ୍ତି । ଲୋକେ ତାଙ୍କୁ ନିସର୍ତ ଭାବେ ଭଲ ପାଆନ୍ତି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆର୍ôଥକ ସୁପରିଚାଳନା ଯୋଗୁଁ ଓଡ଼ିଶା କିପରି ଦ୍ରୁତ ଗତିରେ ପ୍ରଗତି କରୁଛି, ତାହାର ଚିତ୍ର ପ୍ରଦାନ କରିଥିଲେ । ମନ୍ତ୍ରୀ ପ୍ରୀତି ରଂଜନ ଘଡ଼େଇ କହିଥିଲେ ଯେ ଗମନାଗମନ କ୍ଷେତ୍ରକୁ ସରକାର ପ୍ରାଥମିକତା ଦେଇଥିବାରୁ ଓଡ଼ିଶାରେ ବିଭିନ୍ନ ଯୋଜନାର ସଫଳ ରୂପାୟନ ସମ୍ଭବ ହୋଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ତାଙ୍କ ବକ୍ତବ୍ୟରେ ଓଡ଼ିଶାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ହୋଇଥିବା ୫ଟି ରୂପାନ୍ତରୀକରଣର ସୁନେଲି ଚିତ୍ର ଉପସ୍ଥାପନ କରିବା ସହ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ୫ -ଟି ମନ୍ତ୍ରକୁ ଭୂୟସୀ ପ୍ରଶଂସା କରିଥିଲେ ।କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜ ଭାଷାଣରେ ଓଡ଼ିଶା କେମିତି ନିଅଂଟିଆ ଖାଦ୍ୟ ରାଜ୍ୟରୁ ଆଜି ବଳକା ରାଜ୍ୟରେ ପରିଣତ ହୋଇଛି, ତାହାର କାହାଣୀ ବର୍ଣ୍ଣନା କରିଥିଲେ । ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ନବୀନ ବାବୁଙ୍କ ଦୃଢ ନେତୃତ୍ୱକୁ ପଦଯାତ୍ରା ବେଳେ ତାହା ଲୋକଙ୍କ ପାଖରେ ପହଂଚାଇବାକୁ ଆହ୍ୱାନ ଦେଇଥିଲେ । ଶେଷରେ ପ୍ରଖ୍ୟାତ ପ୍ରେରଣାଦାୟୀ ବକ୍ତା ଉଜ୍ୱଳ ପଟନି ଉପସ୍ଥିତ ଜନ ପ୍ରତିନିଧିମାନଙ୍କୁ ଲୋକଙ୍କ ଶ୍ରଦ୍ଧାଭାଜନ ହେବାକୁ ଆବଶ୍ୟକ ବିଭିନ୍ନ ପଦକ୍ଷେପ ଓ କୌଶଳ ସଂପର୍କରେ ଅବଗତ କରିଥିଲେ ।
ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ମଧ୍ୟରେ ବଦ୍ରି ନାରାୟଣ ପାତ୍ର, ପ୍ରସନ୍ନ ପାଟ୍ଟଶାଣୀ, ସୌମ୍ୟରଂଜନ ପଟ୍ଟନାୟକ, ସୁଶାନ୍ତ ସିଂ, ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ ।