-
ଆକର୍ଷଣୀୟ ରୋଷଣୀ ପଟୁଆରରେ କମ୍ପିଲା ବଡଦାଣ୍ଡ
ପୁରୀ – ମହାପ୍ରଭୁ ଶ୍ରୀ ବଳଭଦ୍ର ପୋଢୁଆଁ ହୋଇଥିବାରୁ ତାଙ୍କ ମାମୁଁଘର ନିଆଳି ମାଧବରୁ ପୋଢୁଆଁ ଭାର ମଙ୍ଗଳବାର ଦିନ ଶ୍ରୀମନ୍ଦିରଠାରେ ପହଂଚିଛି । ପ୍ରାଚୀତଟରେ ଅରୁନ୍ଧତିପୁରରେ ନିଆଳି ଲତାତଳେ ପ୍ରଭୁ ମାଧବ ବିରାଜମାନ କରିଥିଲେ । ଶଙ୍ଖଚକ୍ର ଗଦାପଦ୍ମ ଧରି ଲାବଣ୍ୟମୟ ମୂର୍ତି ମାଧବ ମନ୍ଦିରରେ ରହିଛି । ୧୩ଶହ ଶତାଦ୍ଧୀରେ ଗଙ୍ଗବଂଶ ରାଜା ଏହି ମନ୍ଦିର ନିର୍ମାଣ କରିଥିଲେ । ଗୀତଗୋବିନ୍ଦରେ ଜୟଦେବ ମାଧବଙ୍କ ସଂପର୍କରେ ଉଲ୍ଲେଖ କରିଛନ୍ତି । ମାର୍ଗଶୀର କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ପୋଢୁଆଁÂମୀ ପାଳିତ ହୁଏ । ଏଥିପାଇଁ ତାଙ୍କ ମାମୁଁଘରଭାବେ ପରିଚିତ ମାଧବ ମନ୍ଦିରରୁ ପୋଢୁଆଁଭାର ପଟୁଆର ସହ ଶ୍ରୀକ୍ଷେତ୍ର ଆସିଛି ।
ମାଧବ ମନ୍ଦିରରେ ଶ୍ରୀମାଧବଙ୍କ ସ୍ନାନମାର୍ଜନା ପରେ ରାଜାରାଜେଶ୍ୱର ବେଶ କରାଯାଇଥିଲା । ପରେ ପରେ ଗୋପାଳବଲ୍ଲଭ ଭୋଗ ଓ ମନ୍ଦିରରୁ ବେଭାର ଓ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ପ୍ରଥମେ ଭୋଇ ସେବକମାନେ ଆଗରେ ପତାକା ଧରି ଆସିଥିଲେ । ପରେ ପରେ ଢୋଲିଆ, ମହୁରିଆଙ୍କ ମଙ୍ଗଳବାଦ୍ୟରେ ଶୋଭାଯାତ୍ରା କମ୍ପିଥିଲା । ଗଡୁଆ ସେବକମାନଙ୍କ ପାଇକ ଆଖେଡା ନୃତ୍ୟ ବେଶ ଆକର୍ଷଣୀୟ ହୋଇଥିଲା । ୩୦ଟି ସଂକୀର୍ତନ ଦଳ ଘଂଟ ଓ ପଖଉଜ ବାଦନରେ ବଡଦାଣ୍ଡ କମ୍ପିଥିଲା । ରାମଚାଳି ଓ ଲଉଡି ପ୍ରଦର୍ଶନକୁ ଭକ୍ତମାନେ ବେଶ ଉପଭୋଗ କରିଥିଲେ । ମାଧବ ଛତିଶାନିଯୋଗର ୬୦ଜଣ ସେବକ ଶୋଭାଯାତ୍ରାରେ ଆସିଥିଲେ । ଏହା ସହ ନିଆଳି ଅଂଚଳରୁ ଶହ ଶହ ବୁଦ୍ଧିଜୀବି, ଭକ୍ତ ଓ ଜଗନ୍ନାଥ ପ୍ରେମୀ ସ୍ୱଇଚ୍ଛାରେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଶୋଭାଯାତ୍ରାଟି ମାଧବରୁ ନିମାପଡା ଚାରିଛକ, ଗୋପ, ମଦରଙ୍ଗ, ଛଇତନା, ବାଲିଘାଇ ଦେଇ ହରିହରାନନ୍ଦ ଗୁଳୁକୂଳ ଆଶ୍ରମରେ ପ୍ରସାଦ ସେବନ କରିଥିଲେ । ସେଠାରେ ଅପରାହ୍ନରେ ଆସି ଗୁଣ୍ଡିଚା ମନ୍ଦିର ନିକଟରେ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ବଡଦାଣ୍ଡରେ ଏହି ଶୋଭାଯାତ୍ରା ଦେଖିବା ପାଇଁ ଶହ ଶହ ଭକ୍ତ ଚାହିଁ ରହିଥିଲେ ।
ଶ୍ରୀମନ୍ଦିର ସିଂହଦ୍ୱାରଠାରେ ସେବକମାନଙ୍କ ଦ୍ୱାରା ପୋଢୁଆଁ ବସ୍ତ୍ର ଓ ସାମଗ୍ରୀ ସବୁ ଗ୍ରହଣ କରିଥିଲେ । ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ମା ସୁଭଦ୍ରା, ଶ୍ରୀସୁଦର୍ଶନ, ଶ୍ରୀମାଧବ, ଭୂଦେବୀ, ଶ୍ରୀଦେବୀଙ୍କ ପାଇଁ ଅବକାଶ ଧୂପଲାଗି ପାଟବସ୍ତ୍ର ଗ୍ରହଣ କରିଥିଲେ । ପ୍ରଭୁଙ୍କ ପିଠାପାଇଁ ଚାଉଳ, ବିରି, ନଡ଼ିଆ, ଗୁଡ, ପାଚିଲା କଦଳୀ, ଘିଅ, ଗୋପାଳବଲ୍ଲଭ ପାଇଁ ବିଭିନ୍ନ ଫଳମୂଳ ଭାରରେ ଆସିଥିଲା । ଏହା ସହ ତୁଳସୀମାଳ, ପଦ୍ମଫୁଲ ମାଳ, ପାନ, ଅଳେଇଚ, ଗୁଆ, ଲବଙ୍ଗ ଆଦି ସାମଗ୍ରୀ ପ୍ରଦାନ କରିଥିଲେ । ମାଧବରୁ ଆସିଥିବା ୩୦ଟି ସଂକୀର୍ତ୍ତନ ଦଳ ଆନନ୍ଦରେ ନୃତ୍ୟକରି ଶ୍ରୀମନ୍ଦିର ଚାରିପଟେ ବୁଲିଥିଲେ । ବଡଦାଣ୍ଡରେ ମାଧବ ପୀଠରୁ ସେବାୟତମାନେ ଆଣିଥିବା ପିଠାକୁ ବଂଟନ କରିଥିଲେ । ଏହି ପରମ୍ପରା ଗତ କିଛିବର୍ଷ ଧରି କେବଳ ନାମକୁ ମାତ୍ର ହେଉଥିବା ବେଳେ ଏ ବର୍ଷ ଏହାକୁ ଶୋଭାଯାତ୍ରା ଆକାରରେ ଅଣାଯିବା ପରେ ଭକ୍ତମାନେ ଏବେ ନିଆଳି ମାଧବ ମନ୍ଦିରକୁ ଯିବା ପାଇଁ ଇଛା ପ୍ରକାଶ କଲେଣି ।