ଭଦ୍ରକ, ପ୍ରତି ସପ୍ତାହରେ ଥରେ, ଠିକା ସଂସ୍ଥା ଠାରୁ ବେଆଇନ ଭାବେ ଟଙ୍କା ନେଇ ଗଚ୍ଛିତ ରଖି ଭିଣୋଇଙ୍କ ଦ୍ଵାରା ପଠାଉଥିଲେ ଭଦ୍ରକ ଶାଳନ୍ଦୀ କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠୀ । ଯାହାକି ଆଜି ସ୍ପଷ୍ଟ କରିଛନ୍ତି ଭିଜିଲାନ୍ସ ବିଭାଗ ଅଧୀକ୍ଷକ ନରହରି ନାୟକ।
ଏନେଇ ଆଜି ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତଙ୍କ ଭଦ୍ରକ ସ୍ଥିତ ସରକାରୀ ବାସଭବନରେ ଚଢଉ କରାଯାଇଥିଲା । ଏହି ସମୟରେ ସେଠାରୁ ୫ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ତେବେ ଏହି ଅର୍ଥ ନେଇ ଶ୍ରୀମନ୍ତ କୌଣସି ସଠିକ୍ ଭାବେ ହିସାବ ଭିଜିଲାନ୍ସକୁ ଦେଇ ପାରି ନଥିଲେ । ଯାହାକି ଶ୍ରୀମନ୍ତଙ୍କ ସହ ତାଙ୍କ ଭିଣୋଇ କରୁଣାକର ସେଠୀଙ୍କ ଉପରେ ଥିବା ସନ୍ଦେହ ସ୍ପଷ୍ଟ ହୋଇଥିଲା । ତେଣୁ ଜବତ ଟଙ୍କା ସମେତ ଉଭୟଙ୍କୁ ଭିଜିଲାନ୍ସ ଅଧିକ ତଦନ୍ତ ପାଇଁ ନେଇଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ ଅଧୀକ୍ଷକ ଶ୍ରୀ ନାୟକ । ତେବେ ଏଥିସହ ଅନ୍ୟ ଚାରୋଟି ସ୍ଥାନରେ ମଧ୍ୟ ଚଢଉ ଜାରି ରହିଥିବା ଜଣାପଡ଼ିଛି।