କଟକ, କଟକ ଜଗତପୁର ଅଂଚଳରେ ଏକ ହାତୀପଲ ପଶି ଉତ୍ପାତ ମଚାଇଥିବା ବେଳେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ଗୁରୁତର ହୋଇଛନ୍ତି। ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଥିବା ବେଳେ ଆଜି ସକାଳ ସୁଦ୍ଧା କିଛି ହାତୀ ଜନବସତି ଅଂଚଳରେ ରହିଯାଇଥିବା ଜଣାଯାଇଛି।
ସୂଚନା ମୁତାବକ, ଆଠଗଡ଼ ବନଖଣ୍ଡରୁ ଆସିଥିବା ଏହି ହାତୀପଲ ଗତରାତିରୁ ଜଗତପୁରରେ ଉପଦ୍ରବ ଚଳାଇ ଥିଲେ । ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିଲେ । ଆଜି ଭୋରରୁ ହାତୀପଲ ସମ୍ମୁଖରେ ଜଣେ ବୃଦ୍ଧା ଓ ଅନ୍ୟ ଜଣେ ବୃଦ୍ଧ ପଡ଼ି ଯାଇଥିବା ବେଳେ ଉଭୟଙ୍କୁ ଦଳି ଦେଇଛନ୍ତି ହାତୀପଲ । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ଜୀବନ ଯାଇଛି । ଏପରିକି ହାତୀ ଆକ୍ରମଣରେ ଅନ୍ୟ ଜଣେ ଗୁରୁତର ହୋଇଥିବା ବେଳେ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତି କରାଯାଇଛି । ଖବର ପାଇ ବନବିଭାଗ ଓ ପୋଲିସ ସେଠାରେ ପହଂଚି ହାତୀପଲକୁ ଘଉଡ଼ାଇବାକୁ ଚେଷ୍ଟା କରୁଥିବା ବେଳେ ଏବେବି କିଛି ହାତୀ ବାଟ ନ ପାଇ ଜନବସତି ଅଞ୍ଚଳରେ ରହି ଯାଇଥିବା ଜଣାଯାଇଛି । ହାତୀ ଆକ୍ରମଣର ଭୟ ରହିଥିବାରୁ ଘରୁ ନ ବାହାରିବାକୁ ପୁଲିସ ମାଇକ ଯୋଗେ ପ୍ରଚାର କରୁଛି । ଏହା ସତ୍ବେ ହାତୀ ଦେଖିବାକୁ ଲୋକେ ରାସ୍ତା ଉପରକୁ ଚାଲି ଆସୁଛନ୍ତି । ଫଳରେ ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ଓ ପୋଲିସକୁ ନାକେଦମ୍ ହେବାକୁ ପଡିଛି ।