ଭୁବନେଶ୍ୱର, ପୁରୀ ଜିଲ୍ଲା ଗୋପ ବ୍ଲକ୍ ୧୧ ନଂ ଜିଲ୍ଲା ପରିଷଦ ଜୋନ୍ ସଭ୍ୟ ତଥା ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗରେ ଛାତ୍ର କଂଗ୍ରେସ ପ୍ରତିବାଦ କରିଛି । ବୁଧବାର ଦିନ ଛାତ୍ର କଂଗ୍ରେସ ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ୟୁନିଟ୍ ୧ ସ୍ଥିତ ବାସଭବନ ଘେରାଉ କରାଯାଇଛି । ଏପରିକି ମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ବାସଭବନକୁ ଧସେଇ ପଶିବା ବେଳେ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ବି ଉପୁଜିଥିଲା । ଫଳରେ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖ ରଣକ୍ଷେତ୍ର ପାଲଟିଥିଲା । ପୋଲିସ୍ ବହୁ ବିକ୍ଷୋଭକାରୀଙ୍କୁ ଅଟକ ରଖିଛି ।
ଆସନ୍ତା ୭ ଦିନ ମଧ୍ୟରେ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନକୁ ଅଧିକ ଜୋରଦାର କରାଯିବା ସହ ନବୀନ ନିବାସ ଘେରାଉ କରାଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି । ଛାତ୍ର କଂଗ୍ରେସ କହିଛି ଯେ ପ୍ରଥମେ ମନ୍ତ୍ରୀ ସମୀର ଦାଶ ଇସ୍ତଫା ଦିଅନ୍ତୁ । ଏହାପରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । କାରଣ ସମୀର ଦାଶ ମନ୍ତ୍ରୀପଦରେ ଥିବା ପର୍ଯ୍ୟନ୍ତ ଉଚିତ ତଦନ୍ତ ହୋଇପାରିବନି । ଗଣଶିକ୍ଷା ମନ୍ତ୍ରୀଙ୍କ ଏପରି କାଣ୍ଡର କୁପ୍ରଭାବ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଉପରେ ପ୍ରଭାବ ପଡ଼ିବ । ତେଣୁ ତୁରନ୍ତ ତାଙ୍କୁ ବହିଷ୍କାର କରାଯାଉ ।
ସୂଚନାଯୋଗ୍ୟ ଯେ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟକୁ ନେଇ ଆରମ୍ଭରୁ ମନ୍ତ୍ରୀ ସମୀର ଦାଶଙ୍କ ନାଁ ସାମ୍ନାକୁ ଆସିଛି । ଏହାରି ମଧ୍ୟରେ ଗତକାଲି ଧର୍ମେନ୍ଦ୍ରଙ୍କ ଏକ ଅଡିଓ ଭାଇରାଲ ହୋଇଛି । ଉକ୍ତ ଅଡିଓରେ ଧର୍ମେନ୍ଦ୍ର ସାହୁ ନିଜର ଜଣେ ବନ୍ଧୁଙ୍କ ସହ କଥା ହେବା ବେଳେ ମନ୍ତ୍ରୀ ସମୀର ଦାଶ ତାଙ୍କୁ ବହୁତ ମାନସିକ ନିର୍ଯାତନା ଦେଉଥିବା କହୁଥିବା ଶୁଣିବାକୁ ମିଳୁଛି । ଏପରିକି ଆତ୍ମହତ୍ୟା କଲେ ଏହା ପଛରେ ସମୀର ଦାଶ ଦାୟୀ ବୋଲି ସ୍ପଷ୍ଟ ଭାବ କହୁଛନ୍ତି । ଏହାବାଦ ଧର୍ମେନ୍ଦ୍ର ସାହୁ ନିଜ ପତ୍ନୀ , ଶ୍ୱଶୂର ଓ ଜଣେ କଂଟ୍ରାକ୍ଟରଙ୍କ ନାଁ ମଧ୍ୟ ନେଇଛନ୍ତି ।