
ପୁରୀ, ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଆଜି ପୂର୍ବାହ୍ନ ୧୧ଟା ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ ହୋଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବ ଏଥିରେ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ସେବାୟତଙ୍କ ବାସଗୃହ ପ୍ରକଳ୍ପ, ସେବାୟତ କଲ୍ୟାଣ ଯୋଜନା ସମ୍ପର୍କରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି। ଏଥିସହ ଶ୍ରୀଜଗନ୍ନାଥ ସେବାୟତ ଆଦର୍ଶ ଗୁରୁକୁଳ ପ୍ରତିଷ୍ଠା, ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ମରାମତି ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ସମ୍ପର୍କରେ ଆଲୋଚନା କରାଯିବ। ପୂର୍ବ ବୈଠକରେ ଗୃହୀତ ନିଷ୍ପତ୍ତି ଗୁଡିକ ଅନୁମୋଦନ କରାଯିବ।
ସେହିପରି ଭିତର ରତ୍ନଭଣ୍ଡାର ଖୋଲାଯିବା ସଂପର୍କରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି। ପୂର୍ବରୁ ଉଭୟ ନୀତି ସବ୍ କମିଟି ଓ ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଥିବା ବେଳେ ଆଜି ପରିଚାଳନା କମିଟି ବୈଠକରେ ଏହାକୁ ଅନୁମୋଦନ କରାଯିବାର ସମ୍ଭାବନା ରହିଛି।