ରାଉରକେଲା, ରାଉରକେଲା ବାର୍ ଆସୋସିଏସନର ପୂର୍ବତନ ସଭାପତି ରମେଶ ବଳଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି । ଆଜି ଭୋରରୁ ତାଙ୍କର ମୃତଦେହ ରାଉରକେଲା ଡେଲି ମାର୍କେଟସ୍ଥିତ ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପ୍ଲାଂଟ ସାଇଟ୍ ଥାନା ପୋଲିସ । ସେ ଦୀର୍ଘ ଦିନ ଧରି ଓକିଲାତି କରି ଆସୁଥିଲେ ।
ରାଉରକେଲା ସହରରେ ଶ୍ରମିକ ସଂଘର ନେତା ଏମ.ଡି.ଏମ. ପାନିକରଙ୍କ ପାଖରେ କାମ କରି ରମେଶ ପ୍ରଥମେ ନିଜର ପରିଚୟ ସୃଷ୍ଟି କରିଥିଲେ । ପରେ ଓକିଲାତି ଜୀବନ ଚାଲିବା ସହ ଏକ ବର୍ଷ ପାଇଁ ସେ ରାଉରକେଲା ପୌରପାଳିକାରେ ଚେୟାରମ୍ୟାନ ଥିଲେ । ରାଉରକେଲାର ବିଧାୟକ ପଦବୀ ପାଇଁ ସେ ଅନେକ ଚେଷ୍ଟା କରିବା ସହ ବହୁ ଜାଗା ଜମି ସମ୍ପତିର ଅଧିକାରୀ ମଧ୍ୟ ହୋଇଥିଲେ । ପତ୍ନୀ ଓ ଦେଢ଼ଶାଶୂଙ୍କ ସହ ସେ ଏହି ଭଡ଼ା ଘରେ ରହୁଥିବା ବେଳେ ଗତ ୨୦ ଦିନ ଧରି ସେ ମାନସିକ ଅଶାନ୍ତିରେ ରହୁଥିଲେ ଏବଂ କୋର୍ଟକୁ ମଧ୍ୟ ସେ ଆସୁନଥିଲେ ବୋଲି ଜାଣିବା ଶୁଣିବା ମହଲରେ ଆଲୋଚନା ହେଉଛି । ତାଙ୍କ ଦୁଇ ପୁଅଙ୍କ ମଧ୍ୟରୁ ଜଣେ ମୁମ୍ବାଇ ଓ ଅନ୍ୟ ଜଣେ ଭୁବନେଶ୍ଵରରେ ରୁହନ୍ତି । ଗତ ରାତିରେ ରାତ୍ର ଭୋଜନ କରି ସାରିବା ପରେ ରାତି ପ୍ରାୟ ୨ଟା ସମୟରେ ରମେଶ ରହୁଥିବା ଘରୁ ହୋ ହାଲ୍ଲା ପାଟିତୁଣ୍ଡ ଶୁଣିବାକୁ ମିଳିଥିଲା ଏବଂ ସକାଳୁ ତାଙ୍କ ଝୁଲନ୍ତା ଶବ ମିଳିଥିବା ଜଣାପଡିଛି । ତେବେ ଜଣେ ଆଇନଜିବୀ ଓ ଜଣେ ଆଗ ଧାଡିର ନାଗରିକ ହୋଇ ସେ ଆତ୍ମହତ୍ୟା କଲେ ନା ତାଙ୍କୁ କେହି ହତ୍ୟା କରିଛି ସେନେଇ ତଦନ୍ତ ଚଳାଇଛି ପୋଲିସ। ଶବ ଜବତ କରି ବ୍ୟବଚ୍ଛେଦ ନିମେନ୍ତ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି । ତଦନ୍ତ ସମୟରେ ରମେଶଙ୍କ ରୁମ୍ ରୁ ଏକ ସୁଇସାଇଡାଲ ନୋଟ ଜବତ ହୋଇଛି । ଏହାକୁ ନେଇ ଛାନଭିନ୍ ଆରମ୍ଭ କରିଛି ପୋଲିସ ।