ଭୁବନେଶ୍ୱର, ଚଳିତ ବର୍ଷ ଓଡ଼ିଶା ଡାକ ପରିମଣ୍ଡଳ ଆନୁକୂଲ୍ୟରେ “ଆଜାଦି କା ଅମୃତ ମହୋତ୍ସବ” କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ତୃତୀୟ ‘ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍’ (ସୁସ୍ଥ ଭାରତ ସ୍ୱାଧିନତା ଦୌଡ) କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ଅଧୀନରେ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟର ବିଭିନ୍ନ ଡାକ ମଣ୍ଡଳ ଆନୁକୁଲ୍ୟରେ ପ୍ରତିଷ୍ଠିତ ଓ ଐତିହ୍ୟ ସମ୍ପନ୍ନ ସ୍ଥାନ ଗୁଡ଼ିକୁ ଦୌଡ଼ିବା କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥିରେ ସ୍ଥାନୀୟ ଲୋକ ପ୍ରତିନିଧି, ସେଲିବ୍ରିଟି, କ୍ରୀଡ଼ାବିତ୍, ପ୍ରତିଷ୍ଠିତ ବ୍ୟକ୍ତିତ୍ୱ, ସାମାଜିକ ଗଣମାଧ୍ୟମ ପ୍ରେରଣାଦାୟୀ ବ୍ୟକ୍ତି ଆଦିଙ୍କୁ ପର୍ଯ୍ୟାୟ କ୍ରମେ କାର୍ଯ୍ୟକ୍ରମ ମାନଙ୍କରେ ସାମିଲ୍ କରାଯିବ । ଏହା ସଙ୍ଗେ ସଙ୍ଗେ କର୍ମଚାରୀଙ୍କ ପରିବାର, ବନ୍ଧୁ ବର୍ଗ ଓ ସମ୍ପର୍କୀୟଙ୍କୁ ସାମିଲ୍ ପାଇଁ ବ୍ୟବସ୍ଥା ହେବ । ଏହା ପରେ ଅକ୍ଟୋବର ତିନି ତାରିଖରେ ୫୦ ଜଣ ଓ ଚାରି ତାରିଖରେ ୧୦୦ ଜଣ ଭାଗିଦାରୀଙ୍କୁ ନେ଼ଇ ଦୀର୍ଘ ତିନି କିଲୋମିଟର ବ୍ୟାପୀ ଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସ୍ୱଚ୍ଛତାର ଆହ୍ୱାନ ନେଇ ଆୟୋଜିତ ହେଉଥିବା ଏହି ଦୌଡ କାର୍ଯ୍ୟକ୍ରମ ବେଳେ ଦୌଡାଳୀ ମାନେ ଦୌଡ଼ିବା ସହ ବାଟରେ ପଡ଼ିଥିବା ଅଳିଆ ଗୋଟାଈ ସ୍ୱଚ୍ଛତାର ବାର୍ତା ଲୋକଙ୍କ ନିକଟରେ ପହଂଚାଇବେ ।
ଚଳିତ ବର୍ଷର ପ୍ରସଙ୍ଗ ରହିଛି “ଆଜାଦି କା ପଂଚସ୍ତର ସାଲ୍, ଫିଟନେସ ରହେ ବେମିସାଲ୍” । ଏହି କାର୍ଯ୍ୟକ୍ରମରେ ସମସ୍ତ କ୍ଷେତ୍ରରୁ, ବୟସ ବର୍ଗଙ୍କୁ ସାମିଲ କରିବାର ଲକ୍ଷ୍ୟ ରଖାଯାଇଛି । ଏହାକୁ ଅଧିକ ଲୋକାଭିମୁଖୀ ଓ ବ୍ୟାପକ କରିବା ପାଇଁ ଧାରାବାହିକ ଭାବରେ ବହୁତ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି ।
ଏହିପରି ଭାବେ “ଆଜାଦି କା ଅମୃତ ମହୋତ୍ସବ” କାର୍ଯ୍ୟକ୍ରମ ର ଅଂଶବିଶେଷ ଭାବେ ତୃତୀୟ ‘ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍’ (ସୁସ୍ଥ ଭାରତ ସ୍ୱାଧିନତା ଦୌଡ) କାର୍ଯ୍ୟକ୍ରମ ଜନସାଧାରଣଙ୍କ ମନରେ ସ୍ୱାସ୍ଥ୍ୟ ପ୍ରତି ଜାଗରୁକତା ତିଆରି କରିବା ସହ ସୁସ୍ଥ ଭାରତ ଗଠନରେ ସହାୟକ ହେବ ।
ଭାରତ ସରକାରଙ୍କ ଦ୍ୱାରା ୨୦୨୦ ମସିହା ଠାରୁ କ୍ରମାଗତ ଭାବେ ସ୍ୱାଧୀନତା ଦିବସ ଓ ଗାନ୍ଧୀ ଜୟନ୍ତୀ ପାଳନକୁ ସ୍ମରଣୀୟ କରିବା ପାଇଁ ତଥା ସ୍ୱାସ୍ଥ୍ୟ କ୍ଷେତ୍ରରେ ସଚେତନତା ସୃଷ୍ଟି ପାଇଁ ଚାଲିବା ଓ ଦୌଡିବା ଅଭ୍ୟାସ ମନୋଭାବ ଜନସାଧାରଣଙ୍କ ମନରେ ତିଆରି କରିବା ଉଦ୍ଦେଶ୍ୟରେ ଏହା ଆୟୋଜିତ ହୋଇ ଆସୁଛି ।