
-
ସେପ୍ଟେମ୍ବର ୩୦ରେ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ
-
ଅଧ୍ୟକ୍ଷତା କରିବେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ , ବିଶିଷ୍ଟ ଅଭିନେତ୍ରୀ ଆଶା ପାରେଖଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ୨୦୨୦ରେ ସମ୍ମାନିତ କରାଯିବ । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଦିନ ଏହି ଘୋଷଣା କରାଯାଇଛି । ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ ।
ଏ ସମ୍ପର୍କରେ ଘୋଷଣା କରି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଭାରତୀୟ ଚଳଚ୍ଚିତ୍ର ଜଗତକୁ ଉଲ୍ଲେଖନୀୟ ଜୀବନବ୍ୟାପୀ ଅବଦାନ ନିମନ୍ତେ ସୁଶ୍ରୀ ଆଶା ପାରେଖଙ୍କୁ ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର ଦିଆଯିବ । ପୁରସ୍କାରର ବିଚାରକ ମଣ୍ଡଳୀ ଏ ସମ୍ପର୍କରେ ନିଷ୍ପତି ନେଇଛନ୍ତି ଏବଂ ଏହା ଘୋଷଣା କରିବା ସମ୍ମାନର ବିଷୟ ବୋଲି ସେ କହିଛନ୍ତି । ଆସନ୍ତା ୩୦ ସେପ୍ଟେମ୍ବରରେ ୬୮ତମ ଜାତୀୟ ଚଳଚ୍ଚିତ୍ର ସମାରୋହ ଅନୁଷ୍ଠିତ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ସମାରୋହରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଅଧ୍ୟକ୍ଷତା କରିବେ ।
ସୁଶ୍ରୀ ଆଶା ପାରେଖ ଏକାଧାରରେ ଜଣେ ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତ୍ରୀ, ନିର୍ଦ୍ଦେଶିକା ଓ ପ୍ରଯୋଜିକା ତଥା ଭାରତୀୟ ଶାସ୍ତ୍ରୀୟ ନୃତ୍ୟରେ ମଧ୍ୟ ସେ ନିପୁଣା । ଶିଶୁ କଳାକାର ଭାବେ ସେ ନିଜର ଅଭିନେତ୍ରୀ ଜୀବନ ଆରମ୍ଭ କରିଥିଲେ । ‘ଦିଲ ଦେକେ ଦେଖୋ’ ଫିଲ୍ମରେ ସେ ପ୍ରଥମ ଥର ପାଇଁ ମୁଖ୍ୟ ନାୟିକା ଭାବେ ଅଭିନୟ କରିଥିଲେ । ୯୫ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରି ଚଳଚ୍ଚିତ୍ର ଦୁନିଆରେ ସେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ‘କଟି ପତଙ୍ଗ’, ‘ତିସରୀ ମଞ୍ଜିଲ’, ‘ଲଭ୍ ଇନ୍ ଟୋକିଓ’, ‘ଆୟା ସାୱନ ଝୁମକେ’, ‘ଆନ୍ ମିଲୋ ସାଜନା’, ‘ମେରା ଗାଓଁ ମେରା ଦେଶ’ ଭଳି ଲୋକପ୍ରିୟ ଚଳଚ୍ଚିତ୍ରରେ ସେ ନିଜର ଅଭିନୟ ଦକ୍ଷତାର ପ୍ରମାଣ ଦେଇଛନ୍ତି ।
କଳା କ୍ଷେତ୍ରକୁ ଯୋଗଦାନ ପାଇଁ ୧୯୯୨ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡର ମୁଖ୍ୟ ଭାବେ ୧୯୯୮ ମସିହାର ୨୦୦୧ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।
ପାଂଚ ଜଣିଆ ବିଚାରକ ମଣ୍ଡଳୀର ନିଷ୍ପତି କ୍ରମେ ସୁଶ୍ରୀ ପାରେଖଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ଦିଆଯିବ ବୋଲି ଅନୁରାଗ ଠାକୁର କହିଛନ୍ତି । ୫୨ତମ ଦାଦାସାହେବ ଫାଲକେ ପୁରସ୍କାର ବିଜେତାଙ୍କୁ ଚୟନ କରିବା ଲାଗି ଗଠିତ ବିଚାରକ ମଣ୍ଡଳୀରେ ଚଳଚ୍ଚିତ୍ର ଜଗତର ପାଂଚ ଜଣ ବ୍ୟକ୍ତିବିଶେଷ ସଦସ୍ୟ ବା ବିଚାରକ ରହିଛନ୍ତି । ସେମାନେ ହେଲେ: ଆଶା ଭୋଁସଲେ, ହେମା ମାଳିନୀ , ଶ୍ରୀମତୀ ପୁନମ ଧିଲୋଁ, ଟି. ଏସ. ନାଗବରଣ ଏବଂ ଉଦିତ ନାରାୟଣ ।