କନ୍ଧମାଳ,କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକରେ ଦେଖିବାକୁ ମିଳିଛି ଏହିଭଳି ଘଟଣା। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଶିକ୍ଷାକୁ ଗୁରୁତ୍ଵ ଦେଇ ସଭିଏଁ ପଢ଼ନ୍ତୁ ସଭିଏଁ ବଢନ୍ତୁ ନାରା ଦେଉଥିବା ବେଳେ ତୁମୁଡିବନ୍ଧ ବ୍ଲକରେ ଅଙ୍ଗନୱାଡ଼ି ଶିଶୁଙ୍କ ପ୍ରତି ବିଭାଗ ପକ୍ଷରୁ ଘୋର ଅବହେଳା କରାଯାଉଥିବା ନଜରକୁ ଆସିଛି। ଏଠାରେ ଆଜକୁ ପ୍ରାୟ ୭ ବର୍ଷ ହେଲା କୁନି କୁନି ଶିଶୁ ଅଙ୍ଗନୱାଡ଼ି ଗୃହରୁ ବଞ୍ଚିତ ହେବା ସହିତ ଖୋଲା ଆକାଶ ତଳେ ଆମ୍ବ ଗଛ ମୂଳରେ ଅସୁରକ୍ଷିତ ଭାବେ ଅଧ୍ୟୟନ ପାଇଁ ବସୁଥିବା ଦେଖିବାକୁ ମିଳିଛି। ବାରମ୍ବାର ଏ ବାବଦରେ ସିଡିପିଓ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣେଇଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ନେଉ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏହା ତୁମୁଡିବନ୍ଧ ବ୍ଲକର ଆଭ୍ଯନ୍ତରୀଣ ଅଂଚଳର କଥା ନୁହେଁ, ବ୍ଲକ ମୁଖ୍ୟାଳୟ ଠାରୁ, ମାତ୍ର ଚାରି କିଲୋମିଟର ଦୂର ଶରଧାପୁର ଗ୍ରାମର ବିଷୟ ଅଟେ। ଯାହାକି ଶରଧାପୁର ଗ୍ରାମର କୋମଳମତି ଅଙ୍ଗନୱାଡି ଶିଶୁ ମାନଙ୍କ ନିମନ୍ତେ ଘର ନଥିବା ହେତୁ ଶରଧାପୁର ଗ୍ରାମବାସୀ ବ୍ଲକ ପ୍ରଶାସନକୁ ଗୁହାରି କରି ଘରଟେ କରିଦେବାକୁ ନିବେଦନ କରିଥିଲେ, କିନ୍ତୁ ଏହାକୁ ୫ ବର୍ଷ ପରେ ଘର ଖଣ୍ଡେ ଦେଲେ କିନ୍ତୁ ଆଜକୁ ୭ ବର୍ଷ ବିତି ଯାଇଥିଲେ ମଧ୍ୟ ନା ଘର କାମ ସରୁଛି ନା ଅଙ୍ଗନୱାଡ଼ି ଘରର ସୁବିଧା ପାଇ ପାରୁଛନ୍ତି ଶିଶୁ। ଏ ବାବଦରେ ସିଡିପିଓ ଏବଂ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିଲେ ଏହାର ଫାଇଲ୍ ନାହିଁ ଦେଖିବା ମିଳିଲେ କହିବୁ, ବୋଲି ଏଭଳି ମନ୍ତବ୍ୟ ଦେଇ ଚୁପ୍ ବସନ୍ତି। ଏଭଳି ଖରା ବର୍ଷା ଶୀତରେ ବର୍ଷ ବର୍ଷ ଧରି ଆମ୍ବ ଗଛ ତଳେ ବସି ପଢ଼ିବା ଏବଂ ମୃତ୍ୟକୁ ପାଖକୁ ଡାକିବା ଭଳି ଲାଗେ କାରଣ କେତେବେଳେ ବା କଣ ଅଘଟଣ ଘଟିବ କେହିବି କହିପରିବେନି।
୨୦୧୫ ମସିହାରେ ଅଙ୍ଗନୱାଡି ଘର ନିମନ୍ତେ ସାତ ଲକ୍ଷ ଟଙ୍କା ଆସିଥିବା ବେଳେ ଦୁଇ ଲକ୍ଷ ଚବିଶ ହଜାର ବିଲ ହୋଇଥିବା କହିଛନ୍ତି ଗ୍ରାମବାସୀ। କିନ୍ତୁ, ଆଜି ପର୍ଯ୍ୟନ୍ତ କଣ ପାଇଁ ଅଙ୍ଗନୱାଡି ଘର ନିର୍ମାଣ ସମ୍ପୂର୍ଣ ହୋଇପାରିଲା ନାହିଁ ଏଥିପାଇଁ ଦାୟୀ କିଏ କହି ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ ପ୍ରତିମା ପ୍ରଧାନଙ୍କୁ ବହୁବାର ଏହି ବିଷୟରେ ପଚାରିଲେ ମଧ୍ୟ ଫାଇଲ୍ ନାହିଁ ମିଳିଲେ କରିବା ଏଭଳି ଉତ୍ତର ଦେଇ ଗ୍ରାମବାସୀଙ୍କୁ ଚୁପ୍ କରାଇ ଦିଅନ୍ତି ଏବଂ ଏଥିପ୍ରତି ଯାଣିକି ବି ନ ଜାଣିଲା ପରି ବ୍ୟବହାର କରାଯାଉଛି ଆମ ଉପରେ ବୋଲି ପ୍ରତିକ୍ରିୟା ରଖିଛନ୍ତି ଗ୍ରାମବାସୀ। ସମନ୍ୱିତ ଶିଶୁ ବିକାଶ ଯୋଜନାର ଏତାଦୃଶ କାର୍ଯ୍ୟ ଦେଖି ଗ୍ରାମର ଲୋକେ, ସେମାନଙ୍କ ପିଲା ମାନଙ୍କୁ ସେଠାକୁ ଛାଡିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି।