
ଟୋକିଓ ,ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାପାନ ପ୍ରଧାନମନ୍ତ୍ରୀ ମିଃ ଫୁମିଓ କିଶିଦାଙ୍କ ସହିତ ଏକ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା କରିଛନ୍ତି । ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗଭୀର ସମବେଦନା ଜଣାଇଥିଲେ । ଭାରତ-ଜାପାନ ସହଭାଗିତାକୁ ସୁଦୃଢ଼ କରିବା ସହିତ ଏକ ମୁକ୍ତ, ଖୋଲା ଏବଂ ସମାବେଶୀ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ପରିକଳ୍ପନାକୁ ପୂର୍ଣ୍ଣ ରୂପ ଦେବା ଦିଗରେ ପରଲୋକଗତ ପ୍ରଧାନମନ୍ତ୍ରୀ ଆବେଙ୍କ ଅମୂଲ୍ୟ ଯୋଗଦାନକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସ୍ମରଣ କରିଥିଲେ ।
ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ନେଇ ଦୁଇ ନେତାଙ୍କ ମଧ୍ୟରେ ଗଠନମୂଳକ ଆଲୋଚନା ହୋଇଥିଲା । ସେମାନେ ମଧ୍ୟ ବିଭିନ୍ନ ଆଂଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ । ଭାରତ-ଜାପାନ ସ୍ୱତନ୍ତ୍ର ରଣନୈତିକ ସମ୍ପର୍କ ଏବଂ ବିଶ୍ୱସ୍ତରୀୟ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ଲାଗି ଦୁଇ ନେତା ସେମାନଙ୍କର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଥିଲେ । କ୍ଷେତ୍ରୀୟ ସ୍ତରରେ ଏବଂ ବିଭିନ୍ନ ଅନ୍ତର୍ଜାତୀୟ ଗୋଷ୍ଠୀ ଓ ପ୍ରତିଷ୍ଠାନରେ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଉଭୟ ସହମତ ହୋଇଥିଲେ ।