ଭୁବନେଶ୍ୱର – ରାଜ୍ୟରେ ବର୍ତମାନ ୬୩ଟି ଗୃଷି ଫାର୍ମ ଏବଂ ୮୫ ଟି ଉଦ୍ୟାନ କୃଷି ଫାର୍ମ ଅଛି । ସେଥିମଧ୍ୟରୁ ୪ ଟି କୃଷି ଫାର୍ମ ଓ ୫ ଟି ଉଦ୍ୟାନ କୃଷି ଫାର୍ମ ପୁନରୁଦ୍ଧାର ଅବସ୍ଥାରେ ନାହାନ୍ତି । ଏହି ଅଚଳ ଫାର୍ମ ଗୁଡିକୁ କାର୍ଯ୍ୟକ୍ଷମ କରିବାର ପ୍ରଚେଷ୍ଟା ବୈଷୟିକ ଦୃଷ୍ଟିକୋଣରୁ ଲାଭଦାୟକ ହୋଇନଥିବାରୁ ଏଗୁଡିକୁ କାର୍ଯ୍ୟକ୍ଷମ କରିବାପାଇଁ ପଦକ୍ଷେପ ନିଆଯାଇନାହିଁ ବୋଲି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ବିଧାନସଭାରେ ପ୍ରକାଶ କରିଛନ୍ତି ।
ବୁଧବାର କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତରରେ ମନ୍ତ୍ରୀ ଗୃହକୁ ଜଣାଇଥିଲେ ଯେ କୃଷି ଫାର୍ମ ଆଧୁନିକୀକରଣ ପାଇଁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ରେ ୨୦୧୦-୧୧ରେ ୯୯୦.୮୪ ଲକ୍ଷ ଟଙ୍କା ବିନିଯୋଗ ହୋଇଛି । ୨୦୧୬-୧୮ ବର୍ଷରେ ୩୧ ଟି ଫାର୍ମକୁ ୧୬୯୬.୮୦ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି । ସେଥିମଧ୍ୟରୁ ୧୨୬୨.୪୯ ଲକ୍ଷ ଟଙ୍କା ବିନିଯୋଗ ହୋଇଛି ଏବଂ ଅଦ୍ୟାବଧି କାର୍ଯ୍ୟ ଚାଲୁ ରହିଛି ।
ସେହିପରି ଉଦ୍ୟାନ କୃଷି ଫାର୍ମ ଗୁଡିକର ଆଧୁନିକୀକରଣ ପାଇଁ ଉଦ୍ୟାନ କୃଷି ମିଶନ ଓ ରାଷ୍ଟ୍ରୀୟ କୃଷି ବିକାଶ ଆଦି କେନ୍ଦ୍ର ସରକାରଙ୍କ ଯୋଜନାରେ ଯଥାକ୍ରମେ ୧୨୬୪.୭୪ ଲକ୍ଷ ଟଙ୍କା ଏବଂ ୭୪୬୦.୫୭ ଲକ୍ଷ ଟଙ୍କା ଅନୁଦାନ ମିଳିଛି । ରାଜ୍ୟର ବିହନ ଚାହିଦା ମେଂଟାଇବା ପାଇଁ ରାଜ୍ୟ ବାହାରୁ ଆବଶ୍ୟକସ୍ଥଳେ ଏନଏସସି ଜରିଆରେ ଧାନ ଓ ଅଣଧାନ ବିହନ ଚାଷୀଙ୍କ ଚାହିଦା ମୁତାବକ ବ୍ୟବସ୍ଥା କରାଯାଇଥାଏ ।
ଏହା ବ୍ୟତୀତ ଆମ ରାଜ୍ୟରେ ଉଦ୍ୟାନ କୃଷି ଫାର୍ମ ଗୁଡିକର ଉପôାଦିତ ବିଭିନ୍ନ ଉନ୍ନତ କିସମର କଲମୀ ଫଳ ଚାରା କୃଷକମାନଙ୍କୁ ଯୋଗାଇ ଦିଆଯାଉଛି । ରାଜ୍ୟରେ ଉପôାଦିତ ହେଉନଥିବା ଅନ୍ୟଜାତୀୟ କଲମୀ ଫଳଚାରା ଅନ୍ୟ ରାଜ୍ୟରୁ ଅଣାଯାଇ ଚାଷୀ ମାନଙ୍କୁ ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ ଗୃହକୁ ଜଣାଇଛନ୍ତି ।