-
ସ୍ଲଟ୍ ବୁକ୍ କରିଥିଲେ ସ୍ଲିପ୍ ଦେଖାଇ ଜୋରିମାନାରୁ ବର୍ତିପାରିବେ ଗାଡି ମାଲିକ
ଭୁବନେଶ୍ୱର, ଗାଡିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ନିୟମକୁ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର । ଧାର୍ଯ୍ୟ ତାରିଖ ସୁଦ୍ଧା ବୁକିଂ କରିଥିଲେ କୌଣସି ଗାଡି ମାଲିକଙ୍କୁ ଜରିମାନା ଦେବାକୁ ପଡ଼ିବନାହିଁ । ଚେକିଂ ବେଳେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ହୋଇଥିବା ଅନଲାଇନ ବୁକିଂ ସ୍ଲିପ୍ ଦେଖାଇଲେ ଗାଡ଼ି ମାଲିକ ବା ଚାଳକ ଜରିମାନାରୁ ବର୍ତିପାରିବେ । ରାଜ୍ୟ ପରିବହନ କର୍ତୃପକ୍ଷ (ଏସଟିଏ) ଏହି ଘୋଷଣା କରିଛନ୍ତି ।
ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ଡେଡଲାଇନ ସରିଆସୁଥିବାରୁ ହଜାର ହଜାର ସଂଖ୍ୟାରେ ଲୋକେ ଅନଲାଇନରେ ସ୍ଲଟ ବୁକିଂ କରୁଛନ୍ତି । ଯାହାଫଳରେ ଧାର୍ଯ୍ୟ ସମୟ ମଧ୍ୟରେ ଲୋକଙ୍କୁ ସ୍ଲଟ ମିଳିପାରୁନାହିଁ । ତେଣୁ ଲୋକେ ଚେକିଂକୁ ନେଇ ଆଶଙ୍କାରେ ରହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ବୁକିଂ ସ୍ଲିପ୍ ଦେଖାଇଲେ ଜୋରିମାନା ଆଦାୟ ହେବନାହିଁ ବୋଲି ନିଷ୍ପତି ନେଇଛନ୍ତି ରାଜ୍ୟ ପରିବହନ କର୍ତୃପକ୍ଷ । ଯଦି ବୁକିଂ କରିନଥିବେ ତେବେ ଚେକିଂ ସମୟରେ ଧରାପଡିଲେ ୫ ରୁ ୧୦ ହଜାର ପର୍ଯ୍ୟନ୍ତ ଜରିମାନା ଗଣିବାକୁ ପଡିବ ।
ନିୟମ ଅନୁସାରେ ଗାଡିଗୁଡିକର ପଞ୍ଜୀକରଣ ନମ୍ବର ଅନୁସାରେ ଏଚଏସଆରପି ଲଗାଇବାର ବିଭିନ୍ନ ସମୟ ସୀମା ଧାର୍ଯ୍ୟ କରାଯାଇଛି । ଯଦି ଗାଡ଼ିର ପଞ୍ଜୀକରଣର ଶେଷ ନମ୍ବର ୧ କିମ୍ବା ୨ ହୋଇଥାଏ, ତା’ହେଲେ ଅଗଷ୍ଟ ଶେଷ ସୁଦ୍ଧା ନୂଆ ନମ୍ବର ପ୍ଲେଟ୍ ଲଗାଇବାକୁ ହେବ । ପଞ୍ଜୀକରଣ ଶେଷ ନମ୍ବର ୩ ଓ ୪ ହୋଇଥିଲେ ସେପ୍ଟେମ୍ବର ୩୦ ସୁଦ୍ଧା, ୫ ଓ ୬ ନମ୍ବର ଥିବା ଗାଡି ଅକ୍ଟୋବର ୩୧ ସୁଦ୍ଧା , ୭ ଓ ୮ ନମ୍ବର ଥିବା ଗାଡି ନଭେମ୍ବର ୩୦ ତାରିଖ ସୁଦ୍ଧା ଏବଂ ୯ ଓ ୦ ଥିଲେ ଡିସେମ୍ବର ୩୧ ତାରିଖ ସୁଦ୍ଧା ନୂଆ ପ୍ଲେଟ ଲଗାଇବାକୁ ପଡ଼ିବ ।