
ନୂଆଦିଲ୍ଲୀ,ଭାରତ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଯୋଜନା ଇତିମଧ୍ୟରେ ଆଠବର୍ଷ ପୂରଣ କରିଛି । ଏହା କେନ୍ଦ୍ର ସରକାରଙ୍କର ଏକ ଧ୍ୱଜାଧାରୀ ଜାତୀୟ କାର୍ଯ୍ୟକ୍ରମ ଏବଂ ଏଥିରେ ଦେଶରେ ପୁଞ୍ଜିନିବେଶ, ଇନୋଭେସନ, ଦକ୍ଷତା ବିକାଶ, ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ କରି ମାନୁଫାକଚରିଂ ବା ଉତ୍ପାଦନ ବଢାଇବା ଅଗ୍ରାଧିକାର ପାଇଛି । ୨୦୧୪ ସେପ୍ଟେମ୍ବର ୨୫ତାରିଖରେ ଏହି ଯୋଜନାଟି ଆରମ୍ଭ ହୋଇଥିଲା ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ‘ମେକ୍ ଇନ ଇଣ୍ଡିଆ’ ଯୋଜନା ଭାରତକୁ ଏକ ପ୍ରମୁଖ ମାନୁଫ୍ୟାକଚରିଂ ହବ୍ ଓ ପୁଞ୍ଜିନିବେଶ ଲକ୍ଷ୍ୟସ୍ଥଳୀରେ ପରିବର୍ତ୍ତିତ କରୁଛି । ନୂଆ ଭାରତର ଅଭିବୃଦ୍ଧି ପ୍ରକ୍ରିୟାରେ ଅଂଶୀଦାର ହୋଇ ଏହାର ବେଗକୁ ତ୍ୱରାନ୍ୱିତ କରିବା ପାଇଁ ଏହି ଯୋଜନା ଦେଶ ବିଦେଶର ଆଶାୟୀ ନିବେଶକ ଓ ଅଂଶୀଦାରମାନଙ୍କୁ ଏକ ମୁକ୍ତ ଆମନ୍ତ୍ରଣ । ମେକ୍ ଇନ୍ ଇଣ୍ଡିଆରେ ଦେଶର ୨୭ଟି କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଏହି ଆଠ ବର୍ଷ ମଧ୍ୟରେ ଏହି ସମସ୍ତ କ୍ଷେତ୍ରରେ ଭଲ ସଫଳତା ମିଳିଛି । ଦେଶର ଷ୍ଟ୍ରାଟେଜିକ ଓ ସର୍ଭିସ ସେକ୍ଟର ମଧ୍ୟ ଏହାର ଅନ୍ତର୍ଭୁକ୍ତ ହୋଇଛି ।
ବିଦେଶୀ ପୁଞ୍ଜିନିବେଶଙ୍କୁ ଆକର୍ଷିତ କରିବା ପାଇଁ ଭାରତ ସରକାର ଏକ ଉଦାରବାଦୀ ଏବଂ ସ୍ୱଚ୍ଛ ନୀତି କାର୍ଯ୍ୟକାରୀ କରିଛନ୍ତି । ଏଥିପାଇଁ ଅଟୋମେଟିକ ରୁଟ୍ ବା ସ୍ୱୟଂକ୍ରିୟ ମାର୍ଗରେ ବିନା ବାଧାବିଘ୍ନରେ ନିବେଶକ ସହଜରେ ଭାରତରେ ପୁଞ୍ଜିନିବେଶର ସୁବିଧା ପାଇଛନ୍ତି । ୨୦୧୪-୧୫ରେ ଭାରତରେ ମୋଟ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍ଡିଆଇ) ପରିମାଣ ଥିଲା ୪୫.୧୫ବିଲିୟନ ଡଲାର । ବିଗତ ଆଠବର୍ଷ ମଧ୍ୟରେ ଏହା କ୍ରମାଗତ ଭାବେ ବୃଦ୍ଧି ପାଇ ରେକର୍ଡ ପରିମାଣରେ ପହଛିଛି । ୨୦୨୧-୨୨ରେ ଏଫଡିଆଇ ପରିମାଣ ସର୍ବାଧିକ ୭୩.୬ ବିଲିୟନ ଡଲାର ଥିଲା । ମୋଟ ୧୦୧ଟି ଦେଶରୁ ଏହି ଏଫ୍ଡିଆଇ ଆସିଛି ଏବଂ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି କ୍ଷେତ୍ରରେ ବିନିଯୋଗ କରାଯାଇଛି । ନିକଟ ଅତୀତରେ ଭାରତର ଆର୍ଥିକ ସଂସ୍କାର ଓ ଇଜ୍ ଅଫ୍ ଡୁଇଂ ବିଜ୍ନେସ ବା ବ୍ୟାବସାୟିକ ସୁଗମତା ବଳରେ ଦେଶର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଚଳିତ ଆର୍ଥିକ ବର୍ଷରେ ଭାରତ ମୋଟ ୧୦୦ ବିଲିୟନ ଡଲାର ଏଫ୍ଡିଆଇ ପାଇବ ବୋଲି ଆକଳନ କରାଯାଇଛି ।
ଦେଶର ୧୪ଟି ମାନୁଫ୍ୟାକଚରିଂ କ୍ଷେତ୍ରରେ ଉତ୍ପାଦକଭିତ୍ତିକ ପ୍ରୋତ୍ସାହନ ଯୋଜନା ବା ପିଲଆଇ ୨୦୨୦-୨୧ରୁ ଲାଗୁ କରାଯାଇଛି । ଏହା ଫଳରେ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ବଡ ପ୍ରୋତ୍ସାହନ ମିଳିଛି । ଭାରତ ଯେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ବା ଷ୍ଟ୍ରାଟେଜିକ୍ କ୍ଷେତ୍ରରେ ଅପେକ୍ଷାକୃତ ଭଲ ସ୍ଥିତିରେ ରହିଛି ଏବଂ ସେଠାରେ ଉତ୍ପାଦନ/ମାନୁଫ୍ୟାକଚରିଂ ମୋଟାମୋଟି ଏକ ସୁବିଧାଜନକ ସ୍ଥିତିରେ ଅଛି, ସେସବୁ ଘରୋଇ କ୍ଷେତ୍ରରେ ପିଏଲ୍ଆଇ ସ୍କିମ୍ରେ ଅଧିକ ଉତ୍ପାଦନ ପାଇଁ ପ୍ରୋତ୍ସାହନ ଯୋଗାଉଛନ୍ତି । ଫଳରେ ଏହି ଯୋଜନାରେ ଘରୋଇ ଉତ୍ପାଦକମାନେ ଅଧିକ ଉପକୃତ ହେଉଛନ୍ତି । ପିଏଲ୍ ଆଇ ସ୍କିମ୍ରେ ସେମାନଙ୍କୁ ସ୍ଥିତିସ୍ଥାପକ ଯୋଗାଣ ଶୃଙ୍ଖଳା, ରପ୍ତାନୀ ସୁଯୋଗ ଆଦି ଯୋଗାଇ ଦିଆଯାଇ ଅଧିକ ପ୍ରତିଯୋଗିତାମୂଳକ କରିବାର ପ୍ରୟାସ ହେଉଛି । ଏହାର ସୁଫଳ ସିଧାସଳଖ ଉତ୍ପାଦନ ଓ ନିଯୁକ୍ତି ଉପରେ ପଡୁଛି । ଉତ୍ପାଦନ ବୃଦ୍ଧି ଏବଂ ଏହାର ଯୋଗାଣ ଶୃଙ୍ଖଳା ନିର୍ମାଣରେ ଅଧିକରୁ ଅଧିକ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି । ସର୍ବୋପରି ଦେଶର ଏମ୍ଏସ୍ଏମ୍ଇ ସେକ୍ଟର ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି ଏବଂ ତାହାର ଲାଭ ସମ୍ପୃକ୍ତ ଉଦ୍ୟୋଗୀ ଉଠାଉଛନ୍ତି ।
ବିଶ୍ୱ ଅର୍ଥନୀତିରେ ସେମିକଣ୍ଡକ୍ଟର ଭଳି ସାମଗ୍ରୀର ଗୁରୁତ୍ୱ ଥିବା ଉପଲବ୍ଧି କରି ଭାରତ ସରକାର ଏ କ୍ଷେତ୍ରରେ ୧୦ବିଲିୟନ ଡଲାରର ଏକ ପ୍ରୋତ୍ସାହନ ଯୋଜନା ଆରମ୍ଭ କରିଛନ୍ତି । ଏଥିରେ ସେମିକଣ୍ଡକ୍ଟର, ଡିସ୍ପ୍ଲେ ଓ ଡିଜାଇନ ନିର୍ମାଣ ଗୁରୁତ୍ୱ ପାଇଛି । ଏସବୁ ସାମଗ୍ରୀର ଉତ୍ପାଦନକୁ ଉଲ୍ଲେଖନୀୟ ଭାବେ ବଢାଇବାକୁ ସରକାର ଉଦ୍ୟମ କରୁଛନ୍ତି ଏବଂ ଏଥିପାଇଁ ପ୍ରୋତ୍ସାହନ ନୀତି କାର୍ଯ୍ୟକାରୀ ହେଉଛି ।
ଆହୁରି ମଧ୍ୟ ‘ମେକ୍ ଇନ୍ ଇଣ୍ଡିଆ’କୁ ସଫଳ କରିବାକୁ ସରକାର ବିଭିନ୍ନ ସଂସ୍କାରର କାର୍ଯ୍ୟକାରୀ କରିଛନ୍ତି । ଏଥିରେ ପୁରୁଣା ଆଇନର ସଂଶୋଧନ, ନୀତି ନିୟମର ସରଳୀକରଣ, ନୀତି ନିୟମ ଅନୁପାଳନ ଜନିତ ଅନାବଶ୍ୟକ ବୋଝ ଓ ଜଟିଳତା ହ୍ରାସ, କଞ୍ଚାମାଲ ଓ ଅନ୍ୟାନ୍ୟ ମୂଳଧନୀ ସାମଗ୍ରୀର ମୂଲ୍ୟ ହ୍ରାସ ଏବଂ ବ୍ୟବସାୟିକ ସୁଗମତା ବା ଇଜ ଅଫ ଡୁଇଂ ବିଜ୍ନେସ୍ ଆଦି ଅନ୍ୟତମ । ଅତଏବ ମେକ୍ ଇନ୍ ଇଣ୍ଡିଆକୁ ବାସ୍ତବବାଦୀ କରିବାକୁ ଡିଜିଟାଇଜେସନ ଉପରେ ଗୁରୁତ୍ୱ ଦିଆଯାଇଥିବାବେଳେ ଛୋଟ ଛୋଟ ନୀତି ନିୟମ ଅନୁପାଳନରେ ଯେଉଁ ଅପରାଧିକ ଦଫା ଲଗାଯିବାର ବ୍ୟବସ୍ଥା ଥିଲା ତାହାକୁ ଉଠାଇ ନିଆଯାଇଛି । ଉଦ୍ୟୋଗ ସ୍ଥାପନ ଓ ବାଣିଜ୍ୟ ବ୍ୟବସାୟ ସହଜରେ କରିବାକୁ ନୀତି ନିୟମ ଅତ୍ୟନ୍ତ ସରଳ, ଯୁକ୍ତିସଂଗତ, ସହଜ ଓ ଅନୁକୂଳ ହୋଇଛି । ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଫଳରେ ଉଦ୍ୟୋଗ ସ୍ଥାପନ ଓ ପୁଞ୍ଜିନିବେଶ ପ୍ରକ୍ରିୟା ସରଳ, ଯୁକ୍ତିସଂଗତ, ସହଜ ଓ ଅନୁକୂଳ ହୋଇଛି । ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଫଳରେ ନିବେଶକ ବା ଉଦ୍ୟୋଗୀ ଉଦ୍ୟୋଗ ସ୍ଥାପନ ପାଇଁ ବାରଦ୍ୱାର ବୁଲି ନିରାଶ ହେବାର ସ୍ଥିତି ଆଉ ନାହିଁ । ଗୋଟିଏ ସ୍ଥାନରେ ସବୁ ସୁବିଧା ସୁଯୋଗ ଅବିଳମ୍ବେ ମିଳୁଛି । ସର୍ବୋପରି ଶ୍ରମ ଆଇନରେ ସଂଶୋଧନ କରାଯାଇ ଲୋକ ନିଯୁକ୍ତି ଓ ଛଟେଇ ବ୍ୟବସ୍ଥାକୁ ଅତ୍ୟନ୍ତ ସରଳ କରାଯାଇଛି । ସେହିଭଳି ସ୍ଥାନୀୟ ଉତ୍ପାଦର ମାନ ନିର୍ଦ୍ଧାରଣ କରିବାକୁ କ୍ୱାଲିଟି କଣ୍ଟ୍ରୋଲ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି । ଏହା ଫଳରେ ଉତ୍ପାଦକ ନିମ୍ନମାନର ସାମଗ୍ରୀ ଉତ୍ପାଦନ କରିପାରିବେ ନାହିଁ । ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସର୍ବନିମ୍ନ ମାନ ରକ୍ଷା କରିବାକୁ ପଡିବ । କର୍ପୋରେଟ ଟିକସ ହ୍ରାସ କରାଯାଇ ପୁଞ୍ଚିନିବେଶ ଓ ଉଦ୍ୟୋଗସ୍ଥାପନକୁ ପ୍ରୋତ୍ସାହିତ କରାଯାଇଛି । ସ୍ଥାନୀୟ ଉତ୍ପାଦକଙ୍କ ଠାରୁ ସରକାର ସାମଗ୍ରୀ କିଣିବାର ବ୍ୟବସ୍ଥା କରାଯିବା ଫଳରେ ସ୍ଥାନୀୟ ଉଦ୍ୟୋଗ ଲାଭବାନ ହେଉଛନ୍ତି ଏବଂ ସେମାନଙ୍କୁ ଏକ ନିଶ୍ଚିତ ବଜାର ମିଳୁଛି ।
ସରକାର ପ୍ରତିବର୍ଷ ନିୟମିତ ଭାବେ ନିଜର ଆବଶ୍ୟକତା ପାଇଁ ବିଭିନ୍ନ ପ୍ରକାର ସାମଗ୍ରୀ, ସେବା ଓ କାମ କିଣିଥାନ୍ତି । ୨୦୧୭ରେ ସରକାର ଏ ସଂକ୍ରାନ୍ତ ନୀତିରେ ସଂଶୋଧନ କରି ଲୋକାଲ ପ୍ରଡକ୍ଟ କ୍ରୟକୁ ଅଗ୍ରାଧିକାର ଦେବା ଫଳରେ ସ୍ଥାନୀୟ ଉଦ୍ୟୋଗୀ, ଲୋକ ଏବଂ ସେବାପ୍ରଦାନକାରୀ ଉପକୃତ ହେଉଛନ୍ତି ।
ମେକ୍ ଇନ ଇଣ୍ଡିଆର ଆଉ ଏକ ବିଶେଷତ୍ୱ ହେଲା ଗୋଟିଏ ଜିଲ୍ଳା ଗୋଟିଏ ସାମଗ୍ରୀ ଉତ୍ପାଦନ ନୀତି । ଏହା ଫଳରେ ଦେଶୀ/ସ୍ଥାନୀୟ ସାମଗ୍ରୀର ଉତ୍ପାଦନକୁ ପ୍ରୋତ୍ସାହନ ମିଳିଛି ଏବଂ ସ୍ଥାନୀୟ କାରିଗର, ଶିଳ୍ପୀ ଏବଂ ଉତ୍ପାଦକଙ୍କୁ ଆନ୍ତର୍ଜାତିକ ସ୍ତରରେ ନିଜର ସାମଗ୍ରୀ ପହଞ୍ଚାଇବାର ସୁବିଧା ପାଇଛନ୍ତି । ଆମ ହସ୍ତତନ୍ତ୍ର, ବୟନ ଶିଳ୍ପ, କୃଷିଜାତ ପଦାର୍ଥ ଓ ଅନ୍ୟାନ୍ୟ ପାରମ୍ପରିକ ଜିନିଷ ପାଇଁ ଉତ୍ତମ ବଜାର ସୁବିଧା ଏବଂ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ପିଏମ୍ ଗତିଶକ୍ତି ଯୋଜନା ମଧ୍ୟ ମେକ୍ ଇନ୍ ଇଣ୍ଡିଆ ପାଇଁ ଆଉ ଏକ ବଡ ସୁବିଧା ଆଣିଛି । ଏହା ଫଳରେ ସାମଗ୍ରୀ / କଞ୍ଚାମାଲ ଓ ରସଦ(ଲଜିଷ୍ଟିକ୍ସ) ଆଦି ସଂଗ୍ରହ କରିବା ଆଉ ଦୁରୁହ ନୁହେଁ । ଉଦ୍ୟୋଗୀ ନିଜର ଆବଶ୍ୟକତା ଅନୁସାରେ ଶସ୍ତାରେ ଏସବୁ ସାମଗ୍ରୀ ପାଇବା ଫଳରେ ତାଙ୍କର ଉତ୍ପାଦନ ଖର୍ଚ୍ଚ ହ୍ରାସ ପାଇଛି ଏବଂ ସେମାନେ ଶସ୍ତାରେ ଉନ୍ନତମାନର ସାମଗ୍ରୀ ରପ୍ତାନୀର ସୁଯୋଗ ପାଇଛନ୍ତି । ଗତିଶକ୍ତି ଯୋଜନା ଦ୍ୱାରା ମଧ୍ୟ ବଜାର ଓ ବିପଣନ ସୁବିଧା ବଢିଛି, ଏହା ଦ୍ୱାରା ନୂଆ ନୂଆ ହବ୍ ଓ ବ୍ୟାବସାୟିକ ସୁଯୋଗ ସୃଷ୍ଟି ହୋଇଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୦ଅଗଷ୍ଟରେ ତାଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଭାରତକୁ ବିଶ୍ୱର ଏକ ପ୍ରମୁଖ ଖେଳଣା ଉତ୍ପାଦନକାରୀ ହବ୍ରେ ପରିଣତ କରିବା ଇଚ୍ଛା ପ୍ରକାଶ କରିଥିଲେ । ଏଥିରେ ଖେଳଣାର ଡିଜାଇନ ପ୍ରସ୍ତୁତି ଓ ଉତ୍ପାଦନ ଦକ୍ଷତା ବୃଦ୍ଧି କଥା ମଧ୍ୟ ଥିଲା । ଭାରତୀୟ ଖେଳଣା ଉଦ୍ୟୋଗ ମୁଖ୍ୟତଃ ଆମଦାନୀ ଉପରେ ନିର୍ଭରଶୀଳ । କଞ୍ଚାମାଲ, ଟେକ୍ନୋଲୋଜି, ଡିଜାଇନ ଓ ଉତ୍ପାଦନ ସୁବିଧା ଅଭାବରୁ ଏହି ଉଦ୍ୟୋଗ ଭାରତରେ ଆଗେଇ ପାରୁ ନଥିଲା; ଅଥଚ ଭାରତରେ ଖେଳଣାର ଚାହିଦା ପ୍ରଚୁର । ୨୦୧୮-୧୯ରେ ଭାରତ ୩୭୧ନିୟୁତ ଡଲାର ବା ୨୯୬୦ କୋଟି ଟଙ୍କାର ଖେଳଣା ଆମଦାନୀ କରିଥିଲା । ଏହି ଖେଳଣା ମଧ୍ୟରୁ ଅଧିକାଂଶ ଅସୁରକ୍ଷିତ, ନିମ୍ନମାନର, ନକଲି ଏବଂ ଶସ୍ତା ।
ଅତଏବ ପ୍ରଧାନମନ୍ତ୍ରୀଙ୍କ ଇଚ୍ଛା ପୂରଣ କରିବାକୁ ସରକାର ଭାରତୀୟ ଖେଳଣା ଉଦ୍ୟୋଗକୁ ପ୍ରୋତ୍ସାହିତ କରିବାକୁ ବିଭିନ୍ନ ପଦକ୍ଷେପ ଆରମ୍ଭ କରିଥିଲେ । ଏଥିରେ ଖେଳନା ଆମଦାନୀକୁ ନିରୁତ୍ସାହିତ କରିବାକୁ ସୀମା ଶୁଳ୍କ ହାର ୨୦ରୁ ୬୦%କୁ ବୃଦ୍ଧି କରାଯାଇଥିଲା । ଆମଦାନୀ ଖେଳଣାର ମାନ ନିର୍ଦ୍ଧାରଣ କରିବାକୁ ଏକ କ୍ୱାଲିଟି କଣ୍ଡ୍ରୋଲ ନିୟମ ଲାଗୁ ହୋଇଛି । ନମୁନା ପରୀକ୍ଷାକୁ ବାଧ୍ୟତାମୂଳକ କରାଯିବା ସହିତ ଘରୋଇ ଖେଳଣା ଉଦ୍ୟୋଗକୁ ପ୍ରୋତ୍ସାହିତ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାର ଲାଭ ମିଳିଛି ଏବଂ ୨୦୨୧-୨୨ ଆର୍ଥିକ ବର୍ଷରେ ଏପ୍ରିଲ-ଅଗଷ୍ଟ ସମୟରେ ଭାରତ ଘରୋଇ ଆବଶ୍ୟକତା ପୂରଣ କରି ୨୬୦୮.୫ କୋଟି ବା ୩୨୬ ନିୟୁତ ଡଲାର ପରିମାଣର ଖେଳଣା ବିଦେଶକୁ ପଠାଇଛି । ଏହାର ଲାଭ ଭାରତୀୟ ଖେଳଣା ଉଦ୍ୟୋଗକୁ ମିଳିଛି । ୨୦୧୩ର ଏହି ସମୟର ଖେଳଣା ରପ୍ତାନୀ ସହିତ ତୁଳନା କଲେ ଭାରତ ଏ କ୍ଷେତ୍ରରେ ରେକର୍ଡ ୬୩୬% ଏବଂ ୨୦୧୮-୧୯ ତୁଳନାରେ ୬୧% ଅଭିବୃଦ୍ଧି ହାସଲ କରିଛି ।
ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଭାରତୀୟ ଉଦ୍ୟୋଗ ପାଇଁ ବିପୁଳ ସୁଯୋଗ ଓ ସମ୍ଭାବନା ଆଣିଛି ଓ ଅନେକ କ୍ଷେତ୍ରରେ ତାହାର ଲାଭ ମିଳିଲାଣି । ଏହି ଯୋଜନା ମଧ୍ୟରେ ଭାରତର ଗବେଷଣା ଓ ଉନ୍ନୟନ, ଘରୋଇ ମୂଲ୍ୟ ମିଶ୍ରଣ, ଲୋକାଲ ସୋର୍ସିଂ ଆଦିକୁ ପ୍ରୋତ୍ସାହିତ କରି ଏକ ଉତ୍ତମ ସ୍ଥିତି ଉପଲବ୍ଧ ହୋଇଛି । ଏହା ଫଳରେ ପୁଞ୍ଜିନିବେଶ, ପୁଞ୍ଜି ପ୍ରବାହ ଏବଂ ନିଯୁକ୍ତି ବଢିଛି ଏବଂ ଭାରତ ଅନେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇ ରପ୍ତାନୀ ବୃଦ୍ଧି ସହିତ ବିଶ୍ୱ ବଜାରରେ ତାହାର ସ୍ଥିତିରେ ଉନ୍ନତି ଆଣିଛି ।
ମେକ୍ ଇନ୍ ଇଣ୍ଡିଆ ମାଧ୍ୟମରେ ଭାରତରେ ତିଆରି ବା ମେଡ୍ ଇନ୍ ଇଣ୍ଡିଆ ପ୍ରୟାସ କ୍ରମଶଃ ମେଡ୍ ଫର ୱାର୍ଲଡ ବା ବିଶ୍ୱ ପାଇଁ ତିଆରିରେ ପରିଣତ ହେବାକୁ ଯାଉଛି । ଏହି ପ୍ରକ୍ରିୟାରେ ଉତ୍ପାଦିତ ସାମଗ୍ରୀର ମାନରକ୍ଷା ଓ ମୂଲ୍ୟକୁ ସର୍ବାଧିକ ଗୁରୁତ୍ୱ ଦେଇ କାମ ଚାଲିଛି ।