ପୁରୀ, ଆଶ୍ୱିନ ପ୍ରତିପଦାରୁ ୧୫ ଦିନ ଧରି ଚାଲିଥିବା ପିତୃପକ୍ଷର ଶେଷ ଦିନରେ ଶ୍ରଦ୍ଧାଳୁମାନେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ପିଣ୍ଡଦାନ କରିଛନ୍ତି । ପିତୃ ପୁରୁଷମାନେ ମର୍ତ୍ୟମଣ୍ଡଳକୁ ଆସିଥାନ୍ତି ବୋଲି ବିଶ୍ଵାସ ରହିଛି। ପିତୃପକ୍ଷର ପ୍ରତ୍ୟେକ ତିଥିରେ ଶ୍ରାଦ୍ଧ ଦିଆଯାଉଥିଲେ ମଧ୍ୟ ମହାଳୟାରେ ଶ୍ରାଦ୍ଧ ଓ ପିଣ୍ଡଦାନ କରିବାର ବିଶେଷ ମହତ୍ଵ ରହିଛି। ତୀର୍ଥ ପୁଷ୍କରିଣୀରେ ପିଣ୍ଡଦାନ ସହ ତର୍ପଣ କରାଯାଉଥିବାରୁ ପୁରୀରେ ଏଥିପାଇଁ ବହୁତ ଭକ୍ତ ଆସି ପିଣ୍ଡଦାନ କରିଛନ୍ତି। ତେବେ କରୋନା କଟକଣା ଯୋଗୁ ଦୀର୍ଘ ଦୁଇ ବର୍ଷ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ଥିବାବେଳେ ଆଜି ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ସହ ଉତ୍ତର ଦ୍ବାର ଠାରେ ଶ୍ରାଦ୍ଧ ଓ ପିଣ୍ଡଦାନ କରାଯାଉଛି। ସେହିପରି ଶ୍ରୀମନ୍ଦିରରେ ଆଜି ଗୁପ୍ତ ଗୁଣ୍ଡିଚା ଅନୁଷ୍ଠିତ ହେଉଛି । ଅଭିମାନିନୀ ମା ମହାଲକ୍ଷ୍ମୀଙ୍କୁ ମନାଇବା ପାଇଁ ଏହି ଗୁପ୍ତ ଗୁଣ୍ଡିଚାରେ ଦୁର୍ଗାମାଧବ ଏକ ଶୋଭାଯାତ୍ରାରେ ଶ୍ରୀମନ୍ଦିରରୁ ବାହାରି ଦୋଳମଣ୍ଡପ ସାହିରେ ଥିବା ନାରାୟଣୀ ମନ୍ଦିରକୁ ଯାଇଥାନ୍ତି। ଶ୍ରୀଗୁଣ୍ଡିଚା ଯାତ୍ରାରେ ମା ମହାଲକ୍ଷ୍ମୀଙ୍କୁ ପ୍ରଭୁ ଶ୍ରୀଜଗନ୍ନାଥ ସାଙ୍ଗରେ ନେଇ ନଥିବାରୁ ଏହି ଗୁପ୍ତ ଗୁଣ୍ଡିଚା ଆୟୋଜନ ହୋଇଥାଏ ବୋଲି ଲୋକକଥା ରହିଛି।