ବଲାଙ୍ଗିର, ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଅଞ୍ଚଳର ଅଦ୍ଧିଷ୍ଠାତ୍ରୀ ଦେବୀ ମା ଦ୍ବାରସେନିଙ୍କ ଦଶହରା ପର୍ବ ଆରମ୍ଭ ହୋଇଯାଇଛି। ମୁଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଦଶହରା ପୂଜାରେ ବିଭିନ୍ନ ସମ୍ପ୍ରଦାୟର ସେବାୟତ ମାନଙ୍କ ମଧ୍ୟରୁ ଜାନୀ ସେବାୟତ ତିନିଦିନ ତଳୁ ମହଖଣ୍ଡ ନିକଟସ୍ଥ ଛତରଙ୍ଗ ଜଙ୍ଗଲରୁ ଛତ୍ରବାଉତିଙ୍କ ପାଇଁ ଉଦ୍ଦିଷ୍ଟ (ଛତରଡାଣୀ) ବାଉଁଶ ଖୋଜିବାକୁ ଯାଇଥିଲେ।
ପ୍ରକାଶ ଥାଉକି ଏହି ଛତରଙ୍ଗ ଜଙ୍ଗଲରେ ମା ଛତ୍ରବାଉତିଙ୍କ ପାଇଁ ଉଦ୍ଦିଷ୍ଟ ବାଉଁଶ ଜଙ୍ଗଲ ରହିଛି । ତା ମଧ୍ୟରୁ ଦେବୀଙ୍କ ଆଦେଶାନୁଯାଇ ଜାନୀ ଗୋଟିଏ ବାଉଁଶ ବାଛି ସେଠାରେ ପୂଜାର୍ଚ୍ଚନା କରି ବାଉଁଶ କାଟି ଚାଲି ଚାଲି ମନ୍ଦିରକୁ ଆସୁଛନ୍ତି। ଆଜି ରବିବାର ମହାଳୟା ତିଥିରେ ଛତ୍ରଉଭା ଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ଜାନୀ ସେବାୟତ ଆଜି ସିନ୍ଧେକେଲା ସ୍ଥିତ ମାଁ ଦ୍ବାରସେନିଙ୍କ ମନ୍ଦିରକୁ (ଛତରଡାଣୀ) ବାଉଁଶ ଧରି ପହଞ୍ଚିବେ। ପ୍ରକାଶ ଯୋଗ୍ଯ କାହିଁ କେତେ ଆବାହମାନ କାଳରୁ ମହଖଣ୍ଡ ନିକଟସ୍ଥ ଛତରଙ୍ଗ ଜଙ୍ଗଲରୁ ସିନ୍ଧେକେଲା ପର୍ଯ୍ୟନ୍ତ ମଝିରେ ଯେତେ ଗାଁ ପଡିବ ସେମାନେ ଛତରଡାଣୀର ପୂଜାର୍ଚ୍ଚନା କରିବାସହ ଅଧିଆ ପଡନ୍ତି ଏଥିପାଇଁ ନିଜନିଜ ଗାଁ ମାନଙ୍କରେ ପାରମ୍ପରିକ ବାଦ୍ୟ ବଜାଇ ସ୍ବାଗତ କରି ଗାଁର ଠାକୁରାଣୀ ମନ୍ଦିର ଠାରେ ପୁଜାପାଠ ଆଦି ସମ୍ପନ୍ନ ହେବାପରେ ଗାଁ ମୁଣ୍ଡ ପର୍ଯ୍ୟନ୍ତ ପହଞ୍ଚାଇ ବିଦାୟ ନିଅନ୍ତି । ଯୋଉ ଗାଁ ଗୁଡିକ ଦେଇ ଛତରଡାଣୀ ଅତିକ୍ରମ କରନ୍ତି ସେ ଅଞ୍ଚଳର ଦଶହରା ପୂଜା ଶେଷ ହୋଇ ଯାଇଥାଏ। ଆଜି ରବିବାର ସିନ୍ଧେକେଲାର ଘରେ ଘରେ ଆବାଳ ବୃଦ୍ଧ ବନିତା ସମସ୍ତେ ଛତ୍ରଉଭା ସମୟରେ ସତର୍କ ରହିବାକୁ ଘରର ମୁରବୀ ମାନେ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି।
ବହୁ ପୂର୍ବରୁ ଏକ ମାନ୍ୟତା ରହିଛି ଯେ, ସିନ୍ଧେକେଲା ଗାଁକୁ ଛତରଡାଣୀ ପହଞ୍ଚିବା ପରେ ଦୁରିଆ ସେବାୟତ ଏ…..ଏ…. ଶବ୍ଦ କରି ଲୋକଙ୍କୁ ଛତରଡାଣୀ ଯାଉଥିବା ସୁଚେଇ ଦେଇଥାନ୍ତି। ତେବେ ଛତରଡାଣୀ ଆସୁଥିବା ଖବର ପାଇବା ପରେ ଯୋଉ ରାସ୍ତାରେ ଛତରଡାଣୀ ଯାଉଥାନ୍ତି ସେହି ରାସ୍ତା ସ୍ବତଃ ପ୍ରବୃତ୍ତ ଭାବେ ଖାଳି ହୋଇ ଯାଇଥାଏ। ମନ୍ଦିରକୁ ଛତରଡାଣୀ ପହଞ୍ଚିବା ପରେ ପୂଜାର୍ଚ୍ଚନା ପରେ ଛତର ତିଆରି କରାଯାଏ। ଦ୍ବାରସେହ୍ନୀ ଦେବୀଙ୍କ ବିନା ଛତରର ସାମ୍ନା କରିବା ଶୁଭଙ୍କର ହୋଇନଥାଏ ବୋଲି ଲୋକ କଥା ରହିଆସିଛି।