ଭୁବନେଶ୍ୱର, କଟକରେ ନକଲି ଔଷଧ କାରବାର ମାମଲାରେ ବିହାରରୁ ୨ ଜଣଙ୍କୁ କାବୁ କରିଛି କମିଶନରେଟ୍ ପୋଲିସ୍ ଟିମ୍ । ଉକ୍ତ ୨ ଜଣ ବିହାରର ଔଷଧ ବ୍ୟବସାୟୀ ବୋଲି ଜଣାପଡିଛି । ତେବେ ନକଲି ମେଡିସିନ୍ କେଉଁଠାରେ ତିଆରି କରାଯାଉଥିଲା ତାର ତଦନ୍ତ କରୁଛି ପୋଲିସ୍ ।
କଟକ ଡିସିପି ପିନାକ ମିଶ୍ର କହିଛନ୍ତି ଯେ, “ନକଲି ଔଷଧ କାରବାର ମାମଲାରେ ତଦନ୍ତ ଚାଲିଛି । ଆମ ଅଫିସର ସେଠାରେ ଅଛନ୍ତି । ଏବେ ମଧ୍ୟ ତଦନ୍ତ ଜାରି ରହିଛି । ଗୟା ପୋଲିସ ସହ ମିଶି ବିଭିନ୍ନ ସ୍ଥାନରେ ରେଡ କରାଯିବା ସହ ପଚରାଉଚରା କରାଯାଉଛି । ଏହି ଘଟଣାରେ ଦୁଇ ବ୍ୟବସାୟୀଙ୍କୁ ଚିହ୍ନଟ କରାଯାଇଛି । ଯେଉଁଠାରୁ ମେଡିସିନ ଆସିଥିଲା ସେଠାରେ ପହଂଚିବା ପାଇଁ ଚେଷ୍ଟା କରୁଛୁ । ବର୍ତମାନ ତଦନ୍ତ ଜାରି ରହିଛି ବୋଲଇ ସେ କହିଛନ୍ତି ।
ସୂଚନା ଅନୁଯାୟୀ ନିକଟରେ କଟକର ବିଭିନ୍ନ ସ୍ଥାନରେ ଚଢାଉ ବେଳେ ବିପୁଳ ପରିମାଣର ନକଲି ଔଷଧ ମିଳିଥିଲା । ସେଥିମଧ୍ୟରେ ବ୍ଲଡ୍ ପ୍ରେସର ପାଇଁ ବ୍ୟବହାର ହେଉଥିବା ଟେଲମା -୪୦ ରହିଥିଲା । ଏହି ମାମଲାରେ ପୂର୍ବରୁ ନକଲି ସେପ୍ଟେମ୍ବର ୧୩ ତାରିଖରେ ଦୁଇ ଅଭିଯୁକ୍ତ ରାହୁଲ କ୍ୟାଲ୍ ଏବଂ ସଞ୍ଜୟ ଜଲାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁରୀଘାଟ ଥାନା ପୋଲିସ ।ଅପରପକ୍ଷରେ ନକଲି ମେଡିସିନ୍ ର ଲିଙ୍କ୍ ବାଙ୍ଗାଲୋର ଓ ଗୟା ବୋଲି ଜଣାପଡିବା ପରେ ପୋଲିସ୍ ର ଏକ ସ୍ୱତନ୍ତ୍ର ଟିମ୍ ଓଡିଶା ବାହାରକୁ ଯାଇଛି ।