
ଜୟପୁର , ଜାତୀୟ ସେବା ଯୋଜନା (ଏନ୍ ଏସ ଏସ)ର ୫୩ତମ ସ୍ଥାପନ ଦିବସ ଅବସରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରସ୍ଥିତ ସଭାଗୃହରେ ଅନୁଷ୍ଠିତ ଏକ ବର୍ଣ୍ଣାଢ଼୍ୟ ସମାରୋହରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ଗଜପତି, ଗଂଜାମ ଓ କନ୍ଧମାଳ ଜିଲ୍ଲାର ଶ୍ରେଷ୍ଠ ଏନ୍ ଏସ ଏସ କାର୍ଯ୍ୟକ୍ରମ ଅଧିକାରୀ ଓ ସ୍ୱେଚ୍ଛାସେବୀ ମାନଙ୍କୁ ସମ୍ମାନିତ କରାଯାଇଛି । ଏହି କ୍ରମରେ କୋରାପୁଟ ଜିଲ୍ଲା ନିମନ୍ତେ ଏନ୍ ଏସ ଏସ ପ୍ରତି ଉଲ୍ଲେଖନୀୟ ସେବା ପାଇଁ ସରକାରୀ ମହିଳା ମହାବିଦ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ଡ ମନୋରଞ୍ଜନ ପ୍ରଧାନଙ୍କୁ ବୀର ସେବକ ପୁରସ୍କାର ଓ ସେହି କଲେଜର ସ୍ୱେଚ୍ଛାସେବୀ ଗାୟତ୍ରୀ ତନ୍ତୀଙ୍କୁ ସେବା ନାୟକ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଛି । ପୁରସ୍କାର ବିତରଣରେ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଶ୍ରୀ ଜଗଦାନନ୍ଦ,ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାସ, ବିଶ୍ୱବିଦ୍ୟାଳୟର ଏନ୍ ଏସ ଏସ ସଂଯୋଜକ ଡ଼ ଜୟନ୍ତ ପଣ୍ଡା,ପିଜି କାଉନସିଲ ଚେୟାରମ୍ୟାନ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଉପସ୍ଥିତ ରହି ଅଧିକାରୀ ଓ ସ୍ୱେଚ୍ଛାସେବୀ ମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।