ଭୁବନେଶ୍ୱର – ଓଡିଶାରେ ପରିବେଶ ପର୍ଯ୍ୟଟନର ଉନ୍ନତି ପାଇଁ ପଦକ୍ଷେପ ନିଆଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ବିଧାନସଭାରେ ପ୍ରକାଶ କରିଛନ୍ତି । ବିଧାୟକ ଅଶ୍ୱିନୀ ପାତ୍ର , ସୁବାସ ପାଣିଗ୍ରାହୀ , ପ୍ରତାପ ଦେବ , ମହମ୍ମଦ ମୋକିମ୍ ଙ୍କ ମୂଳ ଓ ଅତିରିକ୍ତ ପ୍ରଶ୍ନର ଉତର ଦେଇ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ୧୫ଟି ଜିଲ୍ଲାରେ ୪୦ଟି ପରିବେଶ ପର୍ଯ୍ୟଟନ ସ୍ଥଳୀ କରାଯାଇଛି । ଚଳିତ ବର୍ଷ ଆଉ ୩ ଟି ନୂତନ ପରିବେଶ ପର୍ଯ୍ୟଟନ ସ୍ଥଳୀ ସୁନ୍ଦରଗଡ ଜିଲ୍ଲାର ଟେନସା ଠାରେ , କୋରାପୁଟର ପାଇନ୍ ଫରେଷ୍ଟ ଠାରେ ଓ ନୂୂଆପଡା ଜିଲ୍ଲା ର ପତରା ଡ୍ୟାମ୍ ଠାରେ ନିର୍ମାଣ ଧୀନ ଅଛି । ଏହା ବ୍ୟତୀତ ଅନ୍ୟ ୪ ଟି ନୂତନ ପରିବେଶ ପର୍ଯ୍ୟଟନ ସ୍ଥଳୀ , ବାଲେଶ୍ୱରର ଚାନ୍ଦିପୁର , ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା , ସତୀଗୁଡା ଏବଂ ବରଗଡ ଜିଲ୍ଲାର ନୃସିଂହନାଥ ଆଗାମୀ ଏକ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏହି ସବୁ ପରିବେଶ ପର୍ଯ୍ୟଟନ ସ୍ଥଳୀର ପରିଚାଳନା ଦାୟିତ୍ୱ ଜଙ୍ଗଲ ନିକଟରେ ରହୁଥିବା ଗ୍ରାମବାସୀ ମାନଙ୍କୁ ଦିଆଯାଇଛି । ସେଥିରୁ ହେଉଥ୍ିବା ଆୟରୁ ସେମାନେ ସେମାନଙ୍କ ଜୀବନ ଜୀବିକା ନିର୍ବାହ କରୁଛନ୍ତି ।
ଏହା ଦ୍ୱାରା ଜଙ୍ଗଲ ଉପରେନିର୍ଭରଶୀଳ ଗ୍ରାମବାସୀଙ୍କ ଆର୍ଥିକ ଅବସ୍ଥାର ଉନ୍ନତି ହେବା ସହ ଶୀକାରର ମାତ୍ର ବହୁମାତ୍ରାରେ କମି ଯାଇଛି । ଜଙ୍ଗଲକୁ ସୁରକ୍ଷା କରାଯାଇପାରିଛି ।ଏହି ପର୍ଯ୍ୟଟନସ୍ଥଳୀଗୁଡିକୁ ଅଧିକ ଆକର୍ଷଣୀୟ କରିବା ଓ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଁ ଜଙ୍ଗଲ ଟ୍ରେକିଂ ଓ ଖୋଲା ଜିପ୍ ରେ ଜଙ୍ଗଲ ସଫାରୀ (ଚନ୍ଦକା , ଦେବ୍ରୀଗଡ) ର ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ନୌକା ବିହାର , ବିଭିନ୍ନ ପ୍ରକାର ଖେଳ ର ବ୍ୟବସ୍ଥା କରାଯାଇଛି । ୨୦୧୮-୧୯ ରେ ୧୯,୯୩୧ ଜଣ ପର୍ଯ୍ୟଟକ ଓଡିଶାର ବିଭିନ୍ନ ପରିବେଶ ପର୍ଯ୍ୟଟନ ସ୍ଥଳୀରେ ରାତୀ୍ରଯାପନ କରିଛନ୍ତି । ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।