
ଭୁବନେଶ୍ୱର – ରାଜ୍ୟର ୨୭,୮୪୨ ଗ୍ରାମରେ ପାଇପ୍ ୱାଟର ସ୍କିମ୍ ଲାଗୁ ହୋଇପାରି ନାହିଁ ବୋଲି ଗୃହ ନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି । ସଭ୍ୟ ତାରା ପ୍ରସାଦ ବାହିନୀପତି , ପ୍ରଦୀପ ପୁରୋହିତ , କୁସୁମ ଟେଟେ , ବିଷ୍ଣୁ ସେଠୀ , ଅତନୁ ସବ୍ୟସାଚୀ ନାୟକ ଓ ନରସିଂହ ମିଶ୍ରଙ୍କ ମୂଳ ଓ ଅତିରିକ୍ତ ପ୍ରଶ୍ନର ଉତର ଦେଇ ସେ ଏହା କହିଥିଲେ ।
ମନ୍ତ୍ରୀ ଗୃହକୁ ଜଣାଇଥିଲେ ଯେ ରାଜ୍ୟରେ ଥିବା ୪୭,୩୬୬ ଗ୍ରାମ ମଧ୍ୟରୁ ୧୯,୫୦୪ ଗ୍ରାମକୁ ପାଇପ୍ ଯୋଗେ ପାଣି ଯୋଗାଇ ଦିଆଯାଉଚି । ୨୦୨୪-୧୫ ସୁଦ୍ଧା ସବୁ ଗ୍ରାମରେ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ । ଏଥିପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ୨୦୨୦ ମାର୍ଚ୍ଚ ସୁଦ୍ଧା ସହରାଂଚଳରେ ଥିବା ସମସ୍ତ ଘରକୁ ପାଇପ୍ ଯୋଗେ ପାନୀୟ ଜଳ ଯାଗାଇ ଦିଆଯିବ । ଏଥିପାଇଁ ଅନେକ ଗୁଡିଏ ମେଗା ଲିଫ୍ଟ ପଏଂଟ କାମ ହାତକୁ ନିଆଯାଇଛି । ଚଳିତ ବର୍ଷରେ ୩,୩୭୨ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଏଥିମଧ୍ୟରୁ .ଗତ ୫ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ୫୪୯ କୋଟି ଟଙ୍କା ଦେଇଛନ୍ତି । ୨୦୧୫-୧୬ ବର୍ଷରେ ରାଜ୍ୟ ସରକାର୬୬୮କୋଟି ଟଙ୍କା ଦେଇଥିବା ବେଳେ କେନ୍ଦ୍ର ୯୩ କୋଟି ଟଙ୍କା ଦେଇଛନ୍ତି । ୨୦୧୬-୧୭ରେ ରାଜ୍ୟ ୭୫୨ କୋଟି ଦେଇଥିବା ବେଳେ କେନ୍ଦ୍ର ୧୨୨ କୋଟି ଟଙ୍କା ଦେଇଛି । ସେହିପରି ୨୦୧୭-୧୮ରେ ରାଜ୍ୟ ୮୭୭କୋଟି , ୨୦୧୮-୧୯ରେ ୧୬୫୬ କୋଟି ଟଙ୍କା ଦେଇଥିବା ବେଳେ କେନ୍ଦ୍ର ୭୮ କୋଟି ଓ ୧୧୫କୋଟି ଟଙ୍କା ଦେଇଛନ୍ତି ।
ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ ଯେଉଁଠାରେ ପାଇପ୍ ଜଳ ପ୍ରକଳ୍ପ ଅଚଳ ଅଛି ଜଣାଇଲେ ତୁରନ୍ତ ପଦକ୍ଷେପ ନିଆଯିବ ।