-
ଗୃହରେ ଦୁଃଖ ପ୍ରକାଶ କଲେ ବାଚସ୍ପତି
ଭୁବନେଶ୍ୱର – ଗୃହରେ କହିବାକୁ ସୁଯୋଗ ଦେଉ ନଥିବାରୁ ଏହାର ପ୍ରତିବାଦରେ ଗୃହ ଚାଲିବାକୁ ଦିଆଯିବ ନାହିଁ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଗତକାଲି ଚେତାବନୀ ଦେବା ପରେ ଆଜି ଏଥିପାଇଁ ଦୁଃଖ ପ୍ରକାଶ କରିଛନ୍ତି ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର । ବିରୋଧୀ ଦଳ ନେତାଙ୍କ ବକ୍ତବ୍ୟ ବନ୍ଦ କରିବାକୁ ତାଙ୍କର ଉଦେ୍ଧଶ୍ୟ ନଥିଲା ବୋଲି କହିବା ସହ ଆଜି ଗୃହରେ ତାଙ୍କ ବକ୍ତବ୍ୟ ରଖିବା ପାଇଁ ଅନୁରୋଧ କରିଥିଲେ ।
ବାଚସ୍ପତି କହିଥିଲେ ଯେ ଗତକାଲି ଗୃହର କାର୍ଯ୍ୟସୂଚୀରେ ସୂଚୀତ କାର୍ଯ୍ୟକ୍ରମ ଶେଷ ହେବାର କିଛି ସମୟ ପୂର୍ବରୁ ବିରୋଧର ଦଳ ନେତା ଓ ବିଜେପି ବିଧାୟକମାନେ ଗୃହକୁ ଆସିଥିଲେ । ଗୃହର କାର୍ଯ୍ୟକ୍ରମ ଶେଷ ହେବା ପର ବିରୋଧୀ ଦଳ ନେତା ପଏଂଟ ଅଫ୍ ଅର୍ଡର ଛଳରେ ବକ୍ତବ୍ୟ ରଖିବାପାଇଁ ଜଣାଇଥିଲେ । ଏଥିପାଇଁ ସୁଯୋଗ ଦିଆଯାଇଥିଲା । ମାତ୍ର ମୁଁ ତାଙ୍କର ମନୋଭାବ ବୁଝି ନପାରି ଗୃହରେ ଆଲୋଚନା ହୋଇଥିବା ବିଷୟ ପୁର୍ନବାର ଆଲୋଚନା ନକରିବାପାଇଁ କହିଥିଲି ଏବଂ ଗୃହକୁ ମୁଲତବୀ ରଖିଥିଲି । ତାଙ୍କ ବକ୍ତବ୍ୟକୁ ବନ୍ଦ କରିବାପାଇଁ ମୋର କୌଣସି ଉଦେ୍ଧଶ୍ୟ ନଥିଲାବୋଲି ସେ କହିଛନ୍ତି । ଏହାସହ ବିରୋଧୀ ଦଳ ନେତା ତାଙ୍କର ବକ୍ତବ୍ୟ ରଖିବାକୁ ବାଚସ୍ପତି ତାଙ୍କୁ ଅନୁରାଧ କରିଥିଲେ ।
ଏହାପରେ ବିରୋଧୀ ଦଳ ନେତା ଶ୍ରୀ ନାଏକ କହିଥିଲେ ଯେ ବାଚସ୍ପତିଙ୍କ ଉଦାରତା ପାଇଁ ଧନ୍ୟବାଦ । ଏକଦା ପାର୍ଲାମେଂଟରେ ଅଟଳ ବିହାରୀ ବାଜପାୟୀଙ୍କୁ ଯେତେବେଳେ ସଂସଦରେ କହିବା ପାଇଁ ସୁଯୋଗ ମିଳିନଥିଲା ସେତେବେଳେ ସେ କହିଥିଲେ, “ଶାସକ ଦଳ ପାଖରେ ସଂଖ୍ୟା ଅଛି ବୋଲି ସେମାନେ ସରକାରକୁ ମନଇଛା ଚଲାଇ ପାରନ୍ତି କିନ୍ତୁ ସଂସଦର ଗୃହକୁ ମନଇଛା ଚଲାଇ ପାରିବେ ନାହିଁ । ବିରୋଧିଙ୍କ କଥା ଶୁଣିବା ପାଇଁ ଗୃହର ଅଧ୍ୟକ୍ଷ ଓ ଗୃହର ନେତା ବାଧ୍ୟ । ଏଇଟା ହେଉଛି ଗୃହକୁ ନିର୍ବାଚିତ ହୋଇଥିବା ପ୍ରତିଟି ସଦ୍ୟସର ଅଧିକାର ସେ କହିବ ଓ ସରକାର ଶୁଣିବେ” । ଆମେ କଣ ସେହି ମହାନ ପରମ୍ପରାରୁ କିଛି ବି ଶିଖିପାରିଲେନି ।
ଆଜିକାଲି ତ ପାଟି ଖୋଲୁ ଖୋଲୁ ଗୃହକୁ ମୁଲତବି କରିଦିଆଯାଉଛି । ମୁଖ୍ୟ ବିରୋଧୀ ଦଳ ବିନା ଗୃହ ଚାଲିପାରୁଛି । ଗାନ୍ଧୀ ମୃତି ତଳେ ମୁଖ୍ୟ ବିରୋଧି ଦଳ ପ୍ରତିବାଦ କରୁଛି ଆଉ ଏପଟେ ପୁରା ଆରାମରେ ଗୃହର ଅଧ୍ୟକ୍ଷ ଗୃହକୁ ଚଲାଉଛନ୍ତି । ଓଡିଶାର ଲୋକମାନଙ୍କୁ ଆମେ କି ବାର୍ତା ଦେଉଛେ । ବିରୋଧି ଦଳ ନେତା କିଛି କହିବେ ଓ ବାଚସ୍ପତି କହିବେ ମୁଁ ତାଙ୍କୁ ଦେଖିପାରିଲି ନାହିଁ, ଏହା କଣ ସମ୍ଭବ । ବିରୋଧି ଦଳର ନେତା କହିବା ପାଇଁ ଉଠିବେ ଓ ଗୃହର ଅଧ୍ୟକ୍ଷ ସାଙ୍ଗେ ସାଙ୍ଗେ ଗୃହକୁ ମୁଲତବି କରିବେ । ଏମିତି କେବେ ହୋଇଛି କି ? ୧୯୯୫ ମସିହାରୁ ମୁଁ ବିଧାନସଭାକୁ ଦେଖିଆସିଛି । ମୋଠାରୁ ପୁରୁଣା ବିଧାୟକମାନେ ବି ଅଛନ୍ତି କଂଗ୍ରେସ ଓ ବିଜେଡି ଦଳରେ । ସେମାନେ କୁହନ୍ତୁ କେବେ ଏମିତି ହୋଇଛି ଯେ ବିରୋଧି ଦଳର ନେତା କହିଲା ବେଳେ ବାଚସ୍ପତି ଗୃହକୁ ମୁଲତବି କରିଛନ୍ତି ।
ଶ୍ରୀ ନାଏକ ଆହୁରି କହିଛନ୍ତି ଯେ ଯେଉଁଭଳି ଭାବରେ ବିଧାନସଭାର ଚେୟାର ଏବେ କାମ କରୁଛି ମୋର ହୃଦବୋଧ ହେଉଛି ଯେ ଯେଉଁ ଉଦେ୍ଧଶ୍ୟରେ ଚାଲିବା କଥା ତାହା ହେଉ ନାହିଁ । ଗୃହର ଚେୟାର ଯିଏ ଗୃହକୁ ଚଲାଇବା କଥା ସେ ସରକାରଙ୍କର ରକ୍ଷା କବଚ ହେବାରେ ଲାଗିଛନ୍ତି । ଗୃହକୁ ନିର୍ବାଚିତ ହୋଇଥିବା ପ୍ରତିଟି ସଦ୍ୟସର ଅଧିକାର ସେ କହିବ ଓ ସରକାରଙ୍କର ମନ୍ତ୍ରୀ ମାନେ ଶୁଣିବେ । ସେମାନେ କେମିତି ଶୁଣିବେ ତାର ଦାୟିତ୍ୱ ହେଉଛି ଗୃହର ଅଧ୍ୟକ୍ଷ ବାଚସ୍ପତି ମହୋଦୟଙ୍କର । ଆମେ ଆଜି ୨୩ ଜଣ ବିଧାୟକ ଅଛୁ । କଂଗ୍ରେସ ଦଳର ୯ ଜଣ ଅଛନ୍ତି । ସିପିଆଇର ଭାଇ ଅଛନ୍ତି ମାତ୍ର ଜଣେ ସଭ୍ୟ ଅଛନ୍ତି ଲକ୍ଷ୍ମଣ ମୁଣ୍ଡା । ସମସ୍ତଙ୍କର ସମାନ ଅଧିକାର ଅଛି ଗୃହରେ କହିବା ପାଇଁ । ଆମେ କହିବୁ ।
ଏହି ଗୃହରେ ଦିନେ ନରସିଂହ ବାବୁ ବି ବିରୋଧି ଦଳର ନେତା ପଦବିରେ ଥିଲେ । ଆଗରୁ ବିଜୁ ବାବୁ ଥିଲେ, ଜାନକି ବାବୁ ବି ଥିଲେ ବିରୋଧି ଦଳର ନେତା ଭୁମିକାରେ । ଆହୁରି ଅନେକ ବରିÂ ନେତୃତ୍ୱମାନେ ଓଡିଶାର ବିରୋଧି ଦଳର ନେତା ଭୂମିକାରେ ରହିଆସିଛନ୍ତି । ଆଜି ସେହି ଗୁରୁଦାୟିତ୍ୱ ମୋତେ ମିଳିଛି । ମୋର ପୁର୍ବଜ ମାନେ ଯେଉଁମାନେ ଏହି ପଦବିରେ ଥାଇ ଦାୟିତ୍ୱର ସହିତ ସାଧାରଣ ଓଡିଆ ଲୋକଙ୍କ କଥାକୁ ବିଧାନସଭାରେ ଉଠାଇ ଆସିଛନ୍ତି ଆମେ କେବଳ ସେହି କାମକୁ ଆହୁରି ଆଗକୁ ନେଉଛୁ । ବିରୋଧି ଦଳର ଭୂମିକା ସାଧାରଣ
ଓଡିଆଲୋକଙ୍କର ସ୍ୱାର୍ଥ୍ୟ ପାଇଁ ସମର୍ପିତ । ହେଲେ ଆଜି ବିରୋଧି ଦଳର ନେତାଙ୍କୁ କହିବାକୁ ସୁଯୋଗ ଦିଆଯାଉନାହିଁ ।
ଜଣେ କର୍ମଜୀବୀ ମହିଳା ଯାହାଙ୍କର ଗୋଟିଏ ଛୋଟ ଛୁଆ ଅଛି ତାଙ୍କୁ ହତ୍ୟା କରାଯିବ ଆଉ ପୋଲିସ ତାକୁ ଆତ୍ମହତ୍ୟାର ରୂପ ଦେବ, ଚରିତ୍ର ସଂହାର କରିବ ଆଉ ବିରୋଧି ଦଳ ଭାବରେ ଆମେ ଚୁପ ବସିବୁ । ଏହା କେବେ ବି ହେବ ନାହିଁ । ଆମକୁ ସୁଯୋଗ ମିଳୁ ନମିଳୁ ଆମେ ଆମର କଥାକୁ ବାରମ୍ବାର ଉଠାଇବୁ ।
ଓଡିଶା ବାଚସ୍ପତି ଆସନରେ ଦିନେ ପଂଚସଖା ନିଳକଣ୍ଠ ଦାଶ, ଲିଙ୍ଗରାଜ ପାଣିଗ୍ରାହିଙ୍କ ଭଳି ଜ୍ଞାନି ଗୁଣି ଲୋକମାନେ ବସୁଥିଲେ । ନନ୍ଦ କିଶୋର ମିଶ୍ର, ବ୍ରଜ ମୋହନ ମହାନ୍ତିଙ୍କ ଭଳି ବ୍ୟକ୍ତିତ୍ୱ ମାନେ ଏହି ଗୃହର ଅଧ୍ୟକ୍ଷ ପଦରେ ବସିଛନ୍ତି । ସେମାନଙ୍କ ଯୋଗୁଁ ଏହି ଗୃହର ଗାରିମା ବୃଦ୍ଧି ପାଉଥିଲା । ଆମେ କଣ ସେମାନଙ୍କ ପଥକୁ ଅନୁସରଣ କରିପାରିବାନି ବୋଲି ବିରୋଧୀ ଦଳ ନେତା କହିଥିଲେ ।
ସେହିପରି ବିଜେଡି ସଭ୍ୟ ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ ବାଚସ୍ପତି ନିଜର ଭୁଲ୍ ସ୍ୱକାର କରି ମହାନତାର ପରିଚୟ ଦେଇଛନ୍ତି । ଗୃହ ଶୃଙ୍ଖଳିତ ଭାବେ ଚାଲୁ । ଏଥିପାଇଁ ଉଭୟ ଶାସକ ଓ ବିରୋଧୀ ଦଳର ପ୍ରମୁଖ ଭୂମିକା ରହିଛି ।
ବିଷ୍ଣୁ ସେଠୀ କହିଥିଲେ ଯେ ବରୋଧୀ ଦଳ ପକ୍ଷରୁ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ୨ ଦିନ କହିବାକୁ ସୁଯୋଗ ଦିଆଗଲା ନାହିଁ । ସବୁ ସଭ୍ୟକୁ ସୁରକ୍ଷା ଏବଂ ନ୍ୟାୟ ଦେବାର କର୍ତବ୍ୟ ହେଉଛି ବାଚସ୍ପତିଙ୍କର ।