
-
ଟାଙ୍ଗରପାଲି ଅତିରିକ୍ତ ତହସିଲଦାରଙ୍କ ଘର ସମେତ ୮ଟି ସ୍ଥାନରେ ଚଢ଼ଉ
ରାଉରକେଲା, ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଘରେ ଆଜି ଚଢ଼ଉ କରିଛି ଭିଜିଲାନ୍ସ । ଡୁମାବାହାଲ, ଲେଫ୍ରିପଡ଼ା ସମେତ ସୁନ୍ଦରଗଡ଼ ଜିଲ୍ଲାର ୮ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛନ୍ତି ରାଉରକେଲା ଭିଜିଲାନ୍ସ ଡିଭିଜନର ଅଧିକାରୀ ମାନେ । କୁଳମଣିଙ୍କ ପୈତୃକ ଗାଁ, ଲେଫ୍ରିପଡା ଥାନା ଅନ୍ତର୍ଗତ ଡୁମାବାହାଲ ଏବଂ ଲେଫ୍ରିପଡାରେ ଚଢଉ ଜାରି ରହିଛି । ସୁନ୍ଦରଗଡ଼ ସହରର ମିଶନ ରୋଡ ସ୍ଥିତ ଦୁଇ ମହଲା କୋଠା, ଲେଫ୍ରିପଡ଼ାର ତିନି ମହଲା କୋଠା ଏବଂ ଡୁମାବାହାଲରେ ତିନୋଟି ଘରେ ଚଢଉ ଜାରି ରହିଛି । ତେବେ ଚଢ଼ଉ ଜାରୀ ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।
ଏହା ପୂର୍ବରୁ ସେ ହେମଗିରି ତହସିଲରେ ମଧ୍ୟ ଅତିରିକ୍ତ ତହସିଲଦାର ଭାବରେ ଅବସ୍ଥାପିତ ଥିଲେ ।