ବାରିପଦା, ହାତୀ ଘଉଡାଇବାକୁ ଯାଇଥିବା ଫରେଷ୍ଟର ଓ ବନ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଗତକାଲି ରାତିରେ ଏପରି ଅଭାବନୀୟ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅଧୀନ ପୁରୁଣା ଦେଓଗାଁରେ ।
କରଞ୍ଜିଆ ବନଖଣ୍ଡରେ ହାତୀ ପଶିଥିବା ସୂଚନା ପାଇ ଗତ ରାତିରେ ଦରି ଫରେଷ୍ଟର ଫାଗୁରାମ ବେଶ୍ରା ଏବଂ ୧୦ ଜଣ ଅସ୍ଥାୟୀ ବନ କର୍ମଚାରୀ ଜଙ୍ଗଲକୁ ଯାଇଥିଲେ । ମାତ୍ର ବିଳମ୍ବିତ ରାତିରେ ସ୍ଥାନୀୟ ଅଂଚଳବାସୀଙ୍କ ସହ ସେମାନଙ୍କର ଉଚ୍ଚବାଚ ହୋଇଥିଲା । ହାତୀ ଉପଦ୍ରବରେ ଅତିଷ୍ଠ ଲୋକେ ଏଥିନିମନ୍ତେ ବନ ବିଭାଗର ଉଦାସୀନତାକୁ ଦାୟୀ କରିଥିଲେ । ଏପରିକି କ୍ଷୟକ୍ଷତି ହେଲେ ବନ ବିଭାଗ କ୍ଷତିପୂରଣ ଦେବାରେ ବିଳମ୍ବ କରୁଥିବା ଅଭିଯୋଗ କରିଥିଲେ । ଏହାକୁ ନେଇ ସେଠାରେ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାରୁ ପୁରୁଣା ଦେଓଗାଁର ପ୍ରାୟ ଶତାଧିକ ଲୋକେ ଦରି ଫରେଷ୍ଟର ଫାଗୁରାମ ବେଶ୍ରା ଏବଂ ୧୦ ଜଣ ଅସ୍ଥାୟୀ ବନ କର୍ମଚାରୀଙ୍କୁ ଅଟକ ରଖିଥିଲେ । ହାତୀମାନଙ୍କୁ ତୁରନ୍ତ ଘଉଡେଇବା, ହାତୀ ଦ୍ଵାରା ହୋଇଥିବା କ୍ଷୟକ୍ଷତିର କ୍ଷତିପୂରଣ ତୁରନ୍ତ ଯୋଗାଇବା ସହିତ ଦରି ଫରେଷ୍ଟରଙ୍କ ବଦଳି ଦାବି କରିଥିଲେ ।