ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଭେଜିପୁଟ ଫାଣ୍ଡି ଅଧିକାରୀ ସନ୍ତୋଷ କୁମାର ସ୍ଵାଇଁ ଲାଂଚ ନେବାବେଳେ ଗତକାଲି ରାତିରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ହାବୁଡରେ ପଡିଛନ୍ତି । ଭିଜିଲାନ୍ସ ଟିମ୍ ଫାଣ୍ଡି ଅଧିକାରୀ ସନ୍ତୋଷଙ୍କ ଠାରୁ କେମିକାଲ୍ ବୋଳା ଟଙ୍କା ଜବତ କରି ତାଙ୍କୁ ହେପାଜତକୁ ନେବା ସହ ଏନେଇ ଅଧିକ ଛାନଭିନ୍ ଜାରୀ ରଖିଛନ୍ତି ।
ସୂଚନା ପ୍ରକାରେ, ଖଲ୍ଲିକୋଟ ଥାନା ଭେଜିପୁଟ ଫାଣ୍ଡି ଅନ୍ତର୍ଗତ ଗୁରାପଲ୍ଲୀ ଗ୍ରାମର ଭୁବନ ପାତ୍ର ଓ ତାଙ୍କ ପଡ଼ୋଶୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉଭୟ ପକ୍ଷର ଦୁଇଟି ଏତଲା ଆଧାରରେ ମାମଲା ରୁଜ୍ଜୁ ହୋଇଥିଲା । ଗିରଫଦାରୀକୁ ଏଡାଇବା ପାଇଁ ଓ ୪୧ ସିଆରପିସିରେ ନୋଟିସ୍ କରି ଭୁବନକୁ ଛାଡିବା ପାଇଁ ଫାଣ୍ଡି ଅଧିକାରୀ ସନ୍ତୋଷ ସ୍ଵାଇଁ ୧୫ ହଜାର ଟଙ୍କା ଲାଂଚ ମାଗିଥିଲେ । ଲାଂଚ ଦେବା ପାଇଁ ଭୁବନ ରାଜି ହୋଇଥିଲେ । ଏବଂ ଗତକାଲି ସଂନ୍ଧ୍ୟାରେ ଟଙ୍କା ଦେବାକୁ ଜଣାଇଥିଲେ । ଏ ସଂକ୍ରାନ୍ତରେ ଭୁବନ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଗତକାଲି ରାତିରେ ଭୁବନ ଭେଜିପୁଟ ଫାଣ୍ଡିରେ ପହଂଚି ଲାଂଚ ବାବଦ ୧୫ ହଜାର ଟଙ୍କା ଏସଆଇ ସନ୍ତୋଷଙ୍କୁ ଦେଇଥିଲେ । ସନ୍ତୋଷ ଏହି ଟଙ୍କା ଧରି ପାଟ୍ରୋଲିଂ କରିବାକୁ ଯିବାବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରି ନେଇଥିଲା । ଏବଂ ତାଙ୍କ ନିକଟରୁ ଲାଂଚ ବାବଦ ଟଙ୍କା ଜବତ କରିଥିଲା । ଭିଜିଲାନ୍ସ ଅଧିକାରୀ ମାନେ ଭେଜିପୁଟ ଫାଣ୍ଡି ଓ ଏସଆଇ ସନ୍ତୋଷ ରହୁଥିବା ଘରେ ମଧ୍ୟ ଚଢ଼ଉ କରିଛନ୍ତି ।