ଭୁବନେଶ୍ୱର, ବର୍ତମାନ ସୁଦ୍ଧା ରାଜ୍ୟରେ ୩୭୮୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ୨୭ ହଜାର ୭୫୯ ସାମ୍ପୁଲ୍ ଟେଷ୍ଟ ହୋଇଥିବା ବେଳେ ୩୭୮୮ ପଜିଟିଭ୍ ଆସିଥିଲା । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୧୩୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ କୋରାପୁଟରେ ୩୫୯, ରାୟଗଡ଼ାରେ ୩୨୧, ମାଲକାନାଗିରିରେ ୨୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ସୁଦ୍ଧା ରାଜ୍ୟରେ ସରକାରୀ ଭାବେ ଡେଙ୍ଗୁରେ କୌଣସି ଲୋକଙ୍କ ମୃତ୍ୟୁ ହୋଇନାହିଁ । ୨୦୨୧ରେ ଏହି ସମୟରେ ମୋଟ ୧୫ ହଜାର ୮୩୮ ସାମ୍ପୁଲ ଟେଷ୍ଟ ହୋଇଥିଲା ଓ ୩ ହଜାର ୮୯୫ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଗତବର୍ଷ ତୁଳନାରେ ପଜିଟିଭିଟି ରେଟ କମିଥିବା ବେଳେ ଦୈନିକ ସଂକ୍ରମଣ ବି କମିଛି । ମୌସୁମୀ ସମୟରେ ଓ ମୌସୁମୀ ପରେ ଡେଙ୍ଗୁ ସାମାନ୍ୟ ବଢ଼ିଥିବା ବେଳେ ଏବେ ହ୍ରାସ ପାଉଛି ।