ଗଞ୍ଜାମ,ଗଞ୍ଜାମ ଜିଲ୍ଲାରେ ସାରର ଅଭାବ ଓ କଳାବଜାରୀ ସମ୍ପର୍କିତ ଖବର ପରିବେଷଣ ପରେ ସକ୍ରିୟ ହୋଇଉଠିଛି ପ୍ରଶାସନ । ୟୁରିଆ ସାର କଳାବଜାର ହେଉଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା । ଯାହାକୁ ନେଇ ଆଜି କେତେକ ସାର ଗୋଦାମରେ ଚଢ଼ଉ କରିଛି କୃଷି ବିଭାଗ । ଜଣକ ଲାଇସେନ୍ସ ରଦ୍ଦ ହୋଇଥିବା ବେଳେ ୬୭୦ ବସ୍ତା ସାର ଜବତ ହୋଇଛି । ଏବଂ ୩ ଜଣ ଡିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରୀ ହୋଇଥିବା ଦିଗପହଣ୍ଡି ବ୍ଲକ ଭାରପ୍ରାପ୍ତ କୃଷି ଅଧିକାରୀ ପଦାରବିନ୍ଦ ସାହୁ ସୂଚନା ଦେଇଛନ୍ତି ।
ଏହି ଚଢ଼ଉ ସମୟରେ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଥଖଣ୍ଡି ପଚାଂୟତର ଚକାତେନ୍ତଳି ଗ୍ରାମରେ ଘରୋଇ ଡିଲର ବୁଲୁ ସୁବୁଦ୍ଧିଙ୍କ ଲାଇସେନ୍ସ ରଦ୍ଦ କରାଯାଇ ସେ ମହଜୁଦ ରଖିଥିବା ୬୫୦ ବସ୍ତା ୟୁରିଆ ଓ ୨୦ ବସ୍ତା ଗ୍ରୋମର ସାର ଜବତ ହୋଇଛି । ସାର ବିକ୍ରୀରେ ଅନିୟମିତତା ଅଭିଯୋଗରେ ଭିଷ୍ମଗିରି ଗ୍ରାମର ଦେବବ୍ରତ ଦାଶ, ସୀମାଚଂଳ ପାତ୍ର ଓ ନାଗେଶ୍ଵର ପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରୀ ହୋଇଛି ।
ଏନେଇ ଅଧିକ ସୂଚନା ଦେଇ ଭାରପ୍ରାପ୍ତ କୃଷି ଅଧିକାରୀ ଶ୍ରୀ ସାହୁ କହିଛନ୍ତି ଯେ, ଚକାତେନ୍ତୁଳି ଗ୍ରାମର ବୁଲୁ ସୁବୁଦ୍ଧି ଚଢ଼ା ଦରରେ ସାର ବିକ୍ରୀ କରୁଥିବା ଚାଷୀ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ କୃଷି ବିଭାଗର ଏନଫୋର୍ସମେଂଟ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ସାର ବିକ୍ରୀ ପୂର୍ବରୁ କୃଷି ବିଭାଗ ପକ୍ଷରୁ ସକ୍ରିୟ ନିର୍ଦ୍ଦେଶାବଳୀ ପ୍ରଦାନ କରାଯାଇଥାଏ । ସାର କିଣୁଥିବା ଚାଷୀଙ୍କ ସମ୍ପୂର୍ଣ୍ଣ ବିବରଣୀ ଉଲ୍ଲେଖ କରିବା ପାଇଁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ବୁଲୁ ସୁବୁଦ୍ଧି ନିର୍ଦ୍ଦିଷ୍ଟ ଫର୍ମାଟରେ ବିବରଣୀ ସଠିକ୍ ଭାବେ ଉଲ୍ଲେଖ କରିନଥିବା ତଦନ୍ତରୁ ଜଣାପଡିଛି । ୟୁରିଆ ବସ୍ତା ପ୍ରତି ସରକାରୀ ନିର୍ଦ୍ଧାରିତ ଦର ୨୬୬ ଟଙ୍କା ୫୦ ପଇସା ଧାର୍ଯ୍ୟ ହୋଇଥିବା ବେଳେ ୫୦୦ ରୁ ଉର୍ଦ୍ଧ୍ଵ ମୂଲ୍ୟରେ ବିକ୍ରୀ କରୁଥିବା ପ୍ରମାଣ ମିଳିଥିଲା । ଫଳରେ ତାଙ୍କର ବିକ୍ରୟ ଲାଇସେନ୍ସକୁ ରଦ୍ଦ କରାଯିବା ସହ ସେ ମହଜୁଦ ରଖିଥିବା ୬୫୦ ବସ୍ତା ୟୁରିଆ ଓ ୨୦ ବସ୍ତା ଗ୍ରୋମର ଜବତ କରାଯାଇଛି । କୃଷି ଓ ରାଜସ୍ଵ କର୍ମଚାରୀଙ୍କ ଉପସ୍ଥିତିରେ ଏହି ସାର ବିକ୍ରୟ କରାଯିବ ବୋଲି କୃଷି ଅଧିକାରୀ ଶ୍ରୀ ସାହୁ କହିଛନ୍ତି ।