କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୁଷୋତ୍ତମ କ୍ଷେତ୍ର ନିଜର ଐତିହ୍ୟ ଓ ଆଧ୍ୟାତ୍ମିକ ପରିଚୟ ପାଇଁ ବିଶ୍ବରେ ପ୍ରତିଷ୍ଠା ପାଇବା ସହିତ କଳିଯୁଗରେ ମୋକ୍ଷର ଦ୍ଵାର ଭାବରେ ମଧ୍ୟ ସମଗ୍ର ବିଶ୍ଵରେ ପରିଚୟ ପାଇଛି । ଶ୍ରୀକ୍ଷେତ୍ରକୁ କେନ୍ଦ୍ରକରି ଓଡ଼ିଆ କାବ୍ୟ-କବିତା ହଜାରେ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ସମୃଦ୍ଧ ହୋଇଚାଲିଛି । ଏହି ଭାବାବେଗ, ଭକ୍ତିମତ୍ତା ଓ ଜଗନ୍ନାଥ ତତ୍ତ୍ଵାଶ୍ରୟୀ କବିତାଗୁଡ଼ିକୁ ଏକତ୍ର କରି ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ
ଲାଲ୍ଙ୍କ ଦ୍ଵାରା “କବିତାରେ ପୁରୀ” କବିତା ସଂକଳନ ପୁରୀ ରାଜଭବନ ଠାରେ ଉନ୍ମୋଚିତ ହୋଇଯାଇଛି ।
ଡକ୍ଟର ଦିଲୀପ କୁମାର ସ୍ଵାଇଁ ଏବଂ ଶ୍ୟାମ ପ୍ରକାଶ ସେନାପତିଙ୍କ ସଂପାଦନାରେ ପ୍ରସ୍ତୁତ ଏହି ସଂପାଦନା ଗ୍ରନ୍ଥ ବିଜୟିନୀ ପବ୍ଲିକେଶନ, କଟକ ଦ୍ଵାରା ପ୍ରକାଶ ପାଇଛି। ଏହି ଗ୍ରନ୍ଥର ଆଦିପର୍ବରେ ଶଙ୍କରାଚାର୍ଯ୍ୟଙ୍କ ଶ୍ରୀଜଗନ୍ନାଥାଷ୍ଟକମ୍ ଠାରୁ ଆରମ୍ଭ ହୋଇ ପଣ୍ଡିତ ସଦାଶିବ ରଥଶର୍ମାଙ୍କ ଶ୍ରୀ ଶ୍ରୀ ବିମଳାଷ୍ଟକମ୍ ସ୍ଥାନ ପାଇଛି ।
ଏଥିରେ ସୁର ଦାସ, କବୀର ଦାସ, ଜୟଦେବ ଆଦି କବିଙ୍କ ଜଗନ୍ନାଥ କେନ୍ଦ୍ରିକ ରଚନା ସହ ପୁରୁଷୋତ୍ତମ ମାହାତ୍ମ୍ୟ ଓ ନୀଳାଦ୍ରି ମହୋଦୟର ଅନୁବାଦ ମଧ୍ୟ ସ୍ଥାନ ପାଇଛି । ପୁସ୍ତକର ମଧ୍ୟପର୍ବରେ ସାରଳା ଦାସଙ୍କ ଠାରୁ ଆରମ୍ଭ କରି ପ୍ରାଚୀନ ଓ ମଧ୍ୟଯୁଗର କବିମାନଙ୍କ ଜଗନ୍ନାଥଧର୍ମୀ କବିତା ସ୍ଥାନ ପାଇଛି । ସେହିପରି ଆଧୁନିକ ପର୍ବରେ କବି ଭୀମଭୋଇଙ୍କ ଠାରୁ ଆରମ୍ଭ କରି ଶତାଧ୍ଵ କବିଙ୍କ ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥ ଆଧାରିତ କବିତା
ଏଥିରେ ସ୍ଥାନ ପାଇଛି। ପୁସ୍ତକର ଗୀତିପର୍ବରେ ଠାକୁର ଅଭିରାମ ପରମହଂସ, ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଠାରୁ କୁମାରକବି ଅରକ୍ଷିତ ପ୍ରଧାନଙ୍କ ପର୍ଯ୍ୟନ୍ତ ପ୍ରତିଷ୍ଠିତ ଗୀତିକବିତା ଗୁଡ଼ିକୁ ଚୟନ କରାଯାଇଛି ।
ପୁସ୍ତକର ଶେଷପର୍ବରେ ସମକାଳରେ କବିତା ରଚନା କରୁଥିବା କବିମାନଙ୍କର ପୁରୀ କେନ୍ଦ୍ରିକ କବିତାକୁ ସ୍ଥାନ ଦିଆଯାଇଛି । ମହାମହିମ ରାଜ୍ୟପାଳ ଏପରି ଏକ ସାରସ୍ଵତ ଉଦ୍ୟମର ପ୍ରଶଂସା କରିବା ସହିତ ଜଗନ୍ନାଥ ସଂସ୍କୃତି ପ୍ରଚାରରେ ଏହା ସହାୟକ ହେବ ବୋଲି ମତ ଦେଇଛନ୍ତି । ବିଶିଷ୍ଟ କବି ହରିହର ମିଶ୍ର ଓ କବି ରକ୍ଷକ ନାୟକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପୁସ୍ତକର ପ୍ରଶଂସା କରିଛନ୍ତି ।
Related Stories
November 23, 2024