-
ଡିସେମ୍ବର ୨୦୨୩ ସୁଦ୍ଧା ଏସସିବି କ୍ଲିନିକାଲ ବ୍ଲକ ୧ ଓ ୪ର କାମ ଶେଷ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର, କଟକ ଶ୍ରୀରାମଚନ୍ଦ୍ରଭଂଜ ମେଡିକାଲ କଲେଜକୁ ଶିକ୍ଷା, ଚିକିତ୍ସା ସେବା ଓ ଗବେଷଣା କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନ ଭାବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର ଦୂରଦର୍ଶୀ ଯୋଜନା ବାସ୍ତବରୂପ ନେବାକୁ ଯାଉଛି । ଏହି ରୂପାନ୍ତରଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ସୋମବାର ସକାଳେ କଟକ ବଡ ଡାକ୍ତରଖାନା ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ନୂଆକରି ନିର୍ମାଣ ହେଉଥିବା କ୍ଲିନିକାଲ ବ୍ଲକ ୧ ଓ ୪ ର ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୩ ସୁଦ୍ଧା ଶେଷ କରିବାକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ । ତାସହିତ ଅନ୍ୟ ବ୍ଲକ ଗୁଡିକର ନିର୍ମାଣ ଗୁଡିକ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ରୋଗୀଙ୍କ ସଂପର୍କୀୟ ମାନଙ୍କ ରହିବା ନିମନ୍ତେ ଧର୍ମଶାଳା ଓ ବଜେଟ ହୋଟେଲ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ରାଣୀହାଟ ଛକ ନିକଟରେ କମର୍ସିଆଲ କମ୍ପେ୍ଲକ୍ସ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।
ବଡ ଡାକ୍ତରଖାନାର ଅଧ୍ୟାପକ, ଚିକିତ୍ସକ ଓ ଅନ୍ୟ କର୍ମଚାରୀମାନଙ୍କ ରହଣୀ ନିମନ୍ତେ ୧୩ଟି ଜରଗ୍ଦସରେସିଡେନ୍ସିଆଲ ବ୍ଲକ୍ ନିର୍ମାଣ କରାଯିବ ।ର୍କ୍ତମାନ ସୁଦ୍ଧା ମାତ୍ର ୫ଟି କାମ ଆରମ୍ଭ ହୋଇଛି । ତେଣୁ ତୁରନ୍ତ ସମସ୍ତ ଆବାସିକ ବ୍ଲକର କାମ ଆରମ୍ଭ କରି ଡିସେମ୍ବର ୨୦୨୩ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ୫-ଟି ସଚିବ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ଏସସିବି ପବ୍ଲିକ୍ ସ୍କୁଲର କାମ ମଧ୍ୟ ମାର୍ଚ୍ଚ ୨୦୨୩ ସୁଦ୍ଧା ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।
ପରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ତାଳଦଣ୍ଡା କେନାଲ ପରିଦର୍ଶନ କରି ଏହାର ରୂପାନ୍ତର କାର୍ଯ୍ୟ ବୁଲି ଦେଇଥିଲେ । ଏହି ତାଳଦଣ୍ଡା କେନାଲ କୂଳରେ ବୁଲା ବିକାଳୀ ମାନେ ଯେଭଳି ନ ବସିବେ, ସେମାନଙ୍କ ପାଇଁ କଟକ ମ୍ୟୁନିସିପାଲଟି କର୍ପୋରେସନ ପକ୍ଷରୁ ଅର୍ବାନ ହାଟ ନିର୍ମାଣ କରାଯାଉଛି । ଏହି କାମ ଡିସେମ୍ବର ୨୦୨୨ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଭବିଷ୍ୟତର ପାର୍କିଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବଫର ଜୋନ୍ ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ମାଲପରିବହନ କରୁଥିବା ବଡ ବଡ ଯାନ ଗୁଡିକର ପାର୍କିଂ ପାଇଁ ରେଲୱେ ଠାରୁ ଅଧିକ ଜମି ନେବା ପାଇଁ ସେ ପରାମର୍ଶ ଦେଇଥିଲେ । ସ୍ଥାନୀୟ ଲୋକ ତଥା ବୁଲା ବିକାଳୀ ମାନେ ଯେପରି ତାଳଦଣ୍ଡା କେନାଲରେ ଅଳିଆ ଆବର୍ଜନା ନ ପକାଇବେ, ସେଥିପାଇଁ ସେମାନଙ୍କୁ ସଚେତନ କରିବା ସହିତ କେନାଲ ରାସ୍ତାରେ ଥିବା ସମସ୍ତ ଇଲେକ୍ଟ୍ରି ସବ୍ଷ୍ଟେସନ, ପାଣି ପାଇପ ତଥା ନର୍ଦ୍ଦମାଜଳ ପାଇପ ସଂପୂର୍ଣ୍ଣ ଭାବରେ ତୁରନ୍ତ ସ୍ଥାନାନ୍ତକରଣ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।
୩.୫ କିଲୋମିଟର ପରିବ୍ୟାପ୍ତ ତାଳଦଣ୍ଡା କେନାଲ ରାସ୍ତାର ବିକାଶ କାମକୁ ଜାତୀୟ ରାଜପଥ ୧୬ ଅତିକ୍ରମ କରି କଟକ ସହର ଶେଷ ସୀମା ପର୍ଯ୍ୟନ୍ତ ବିକଶିତ କରିବା ପାଇଁ ୫-ଟି ସଚିବ ପରାମର୍ଶ ଦେଇଥିଲେ । ସେହିପରି ବିଭିନ୍ନ ଜାଗାରେ ଥିବା ସେତୁ ନିକଟସ୍ଥ ସଂଯୋଗକାରୀ ରାସ୍ତା ପ୍ରଶସ୍ତ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ । ରେଲୱେ ଜମି ନିକଟରେ ଥିବା ଜଳାଶୟର ସଂରକ୍ଷଣ ଓ ବିକାଶ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏତଦ୍ବ୍ୟତୀତ କେନାଲ ରୋଡ ର ଲ୍ୟାଣ୍ଡସ୍କେପିଂ, ତାର ରକ୍ଷଣାବେକ୍ଷଣ ଓ ପରିଚ୍ଛନ୍ନତା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ପାଣ୍ଡିଆନ ମତବ୍ୟକ୍ତ କରିଥିଲେ । ସୂଚନାଯୋଗ୍ୟ ଯେ ଜୋବ୍ରାରୁ ରାଣୀହାଟ ପର୍ଯ୍ୟନ୍ତ ଦେଢ କିଲୋମିଟର ରାସ୍ତାର ଲ୍ୟାଣ୍ଡସ୍କେପିଂ ମୁଖ୍ୟମନ୍ତ୍ରୀ ୨୦୨୦ ଅକ୍ଟୋବରରେ ଉଦ୍ଘାଟନ କରିଥିଲେ ।
ତାଳଦଣ୍ଡା କେନାଲ ଅତୀତରେ ଆମର ଜଳସେଚନ, ଜଳ ପରିବହନ ତଥା ଅର୍ଥନୈତିକ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ୧୮୬୨ ଖ୍ରୀଷ୍ଟାଦ୍ଦରେ ଏହା ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା ଖନନ ହୋଇଥିଲା ।
୫-ଟି ସଚିବଙ୍କ ସହିତ ପୂର୍ତ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱରେ ଥିବା ବିଶାଳ ଦେବ, କେନ୍ଦ୍ରାଂଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳାଇ, କଟକ ଜିଲ୍ଲାପାଳ, ସିଡିଏର ଅଧ୍ୟକ୍ଷ ଏବଂ କଟକ ମ୍ୟୁନିସିପାଲଟି କମିଶନର, ଏସସିବି ମେଡିକାଲକଲେଜର ଅଧ୍ୟକ୍ଷ, ଅଧୀକ୍ଷକ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।